ନିଶ୍ଚିନ୍ତକୋଇଲି: କୋରିଅର୍‌ ସଂସ୍ଥାର ଭୁଲ୍‌ ଯୋଗୁଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା ନେମାଳ ଥାନା ଅନ୍ତର୍ଗତ ତିଳକଣା ପଞ୍ଚାୟତ କୁଆଁଶୋଳ ଗ୍ରାମର ବିଳାସଚନ୍ଦ୍ର ଭୂୟାଁ(୫୨)ଙ୍କ ମୃତଦେହ ରାଜସ୍ଥାନ ଚାଲି ଯାଇଥିଲା ବେଳେ ରାଜସ୍ଥାନ ଜୟପୁରର ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ କୁଆଁଶୋଳ ଚାଲି ଆସିଥିଲା। ଏହି ଘଟଣାରେ ବୁଝାମଣା ପରେ କୁଆଁଶୋଳରେ ସତ୍କାର ହୋଇଥିବା ଅଣଓଡ଼ିଆ ବ୍ୟକ୍ତିଙ୍କ ଚିତାଭସ୍ମ ରାଜସ୍ଥାନ ପଠାଇ ଦିଆଯାଇଥିଲା। ହେଲେ, ବିଳାସଙ୍କ ମୃତଦେହ ଗାଁ ଫେରା ନ ଯାଇ ମୁମ୍ବାଇରେ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ମୁମ୍ବାଇସ୍ଥିତ ଏକ କାର୍‌ କମ୍ପାନିରେ କାର୍ଯ୍ୟ କରୁଥିବା କୁଆଁଶୋଳ ଗ୍ରାମର ବିଳାସଚନ୍ଦ୍ର ଭୂୟାଁଙ୍କର ମସ୍ତିଷ୍କାଘାତରେ ମୃତ୍ୟୁ ଘଟିଥିଲା। ମୁମ୍ବାଇ ଏୟାର୍‌ପୋର୍ଟରେ ଶବ ବାକ୍ସ ଉପରେ କୋରିଅର ସଂସ୍ଥାର କର୍ମଚାରୀ ଭୁଲ ତଥ୍ୟ ସମ୍ବଳିତ ଷ୍ଟିକର୍‌ ଲଗାଇ ଦେଇଥିଲେ। ଏହି ସମୟରେ ରାଜସ୍ଥାନର ଜୟପୁର ସହର ଅଭିମୁଖେ ଯିବାକୁ ଥିବା ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ଶବବାକ୍ସ ଉପରେ ବିଳାସଙ୍କ ନାମ ଓ ଠିକଣା ଥିବା ଷ୍ଟିକର୍‌ ଲଗାଇ ଦିଆଯାଇଥିଲା। ଫଳରେ ଅଣଓଡ଼ିଆ ବ୍ୟକ୍ତିଙ୍କ ଶବ କୁଆଁଶୋଳ ଗ୍ରାମକୁ ଚାଲିଆସିଥିଲା।

Advertisment

କୁଆଁଶୋଳରେ ପରିବାର ଓ ଆତ୍ମୀୟସ୍ବଜନ ବାକ୍ସ ଖୋଲିଥିଲେ ମଧ୍ୟ ପଲିଥିନ୍‌ରେ ଗୁଡ଼ା ହୋଇଥିବା ମୃତଦେହ ନ ଖୋଲି ଲୁଣାନଦୀ ଶଯ୍ୟାରେ ସତ୍କାର କରିଦେଇଥିଲେ। ଅଣ ଓଡ଼ିଆ ବ୍ୟକ୍ତିଙ୍କ ଶବ ନିକଟରେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ବିଳାସଙ୍କ ପତ୍ନୀଙ୍କ ଶଙ୍ଖା ଭଙ୍ଗାଯିବା ସହ ସିନ୍ଦୁର ଲିଭାଇ ବିଧବା ଭାବେ ସଜାଇ ଦିଆଯାଇଥିଲା। ସେହିପରି ବିଳାସଙ୍କ ଶବ ଥିବା ବାକ୍ସରେ ଭୁଲ ତଥ୍ୟ ଦିଆଯାଇଥିବାରୁ ତାହା ଜୟପୁର ଚାଲିଯାଇଥିଲା। ଜୟପୁରରେ ଶବ ଦେଖିବା ପରେ ମୃତଦେହ ସେମାନଙ୍କର ନୁହେଁ ବୋଲି ସମ୍ପର୍କୀୟମାନେ ଜାଣିପାରିଥିଲେ। ଏହାପରେ ରାଜସ୍ଥାନରେ ଉକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କ ପରିବାର ଶବଦାହ ନ କରି ବିଳାସଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଦୁଇ ପରିବାର ମଧ୍ୟରେ ଯୋଗସୂତ୍ର ପରେ ଅଣଓଡ଼ିଆ ବ୍ୟକ୍ତିଙ୍କ ଚିତାଭସ୍ମ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ଏବଂ ବିଳାସଙ୍କ ମୃତଦେହ ଗ୍ରାମକୁ ଫେରାଇ ଦିଆଯିବ ବୋଲି ବୁଝାମଣା ହୋଇଥିଲା। ଏହାପରେ କୁଆଁଶୋଳରୁ ଅଣଓଡ଼ିଆ ବ୍ୟକ୍ତିଙ୍କ ଚିତାଭସ୍ମ ଜୟପୁର ପଠାଇ ଦିଆଯାଇଥିଲା। ହେଲେ, ବିଳାସଙ୍କ ଶବ ନିଜ ଗ୍ରାମକୁ ଅଣା ନ ଯାଇ ମୁମ୍ବାଇରେ ସତ୍କାର କରାଯାଇଥିବା ଜଣାଯାଇଛି। ଅପରପକ୍ଷରେ ଶବ ପଠାଇଥିବା କୋରିଅର ସଂସ୍ଥାର ତ୍ରୁଟି ଯୋଗୁଁ ଶବ ଅଦଳବଦଳ ହୋଇଥିବାରୁ ଉକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।