ବାରିପଦା: ବାରିପଦାରୁ ପ୍ରଖର ନଦୀ ସ୍ରୋତରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ଶବ ଦୀର୍ଘ ସାତ ଦିନ ପରେ ଉଦ୍ଧାର ହୋଇଛି। ଚଳିତ ମାସ ୧୪ତାରିଖରେ ବାରିପଦାରେ ଦୀର୍ଘ ଦୁଇ ଘଣ୍ଟାର ଲଗାଣ ବର୍ଷା ଫଳରେ ଜଣେ ଯୁବକ ବାଇକରେ ନଦୀ ପୋଲ ପାର ହେଉଥିବା ସମୟରେ ଜରାଳି ନଦୀ ସ୍ରୋତରେ ଭାସି ଯାଇ ନିଖୋଜ ହୋଇଥିଲେ। ଏହି ଘଟଣାରେ ଦୀର୍ଘ ସାତ ଦିନ ପରେ ଯୁବକର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୬ ସାହିର ପ୍ରକାଶ ସାହୁ। ସୂଚନାଯୋଗ୍ୟ ବଡ଼ସାହି ଥାନା ଅଧିନସ୍ଥ ମାଧପୁର ଗ୍ରାମ ଦେଇ ଯାଇଥିବା ବୁଢାବଳଙ୍ଗ ନଦୀ ପଠାରୁ ଶନିବାର ସନ୍ଧ୍ୟାରେ ଏକ ଅଚିହ୍ନା ଗଳିତ ମୃତ ଦେହ ବଡ଼ସାହି ପୋଲିସ ଦ୍ବାରା ଉଦ୍ଧାର କରାଯାଇଥିଲା।
ପୁଲିସର ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ, ଆଜକୁ ୩ ରୁ ୪ଦିନ ଧରି ଲଗାଣ ଲଘୁଚାପ ବର୍ଷରେ ବାରିପଦା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ବୁଢାବଳଙ୍ଗ ନଦୀରେ ଉପରମୁଣ୍ଡରୁ ଏକ ଶବ ଭାସି ଆସି ମାଧପୁରସ୍ଥିତ ଏକ କାଶ ତଣ୍ଡିର ନଟାରେ ଲାଗିଥିଲା। ଗ୍ରାମର ଲୋକେ ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ସମୟରେ ଏହି ଶବକୁ ଦେଖି ବଡ଼ସାହି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ପଠାଇଥିଲା। ତେବେ ଆଜି ଶବ ବ୍ୟବଚ୍ଛେଦ ଏବଂ ପରିବାର ଲୋକଙ୍କ ମୃତ ଦେହକୁ ଚିହ୍ନଟ କରିବା ପରେ ସତ ଘଟଣା ସାମ୍ନାକୁ ଆସିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।