ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଖଲିଆପାଲି ଗ୍ରାମ ନିକଟରୁ ଜଣେ ଅଜଣା ଯୁବକର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ଖଲିଆପାଲି ଗ୍ରାମର ସତୀଘାଟ ଲାନ୍ଥ ନଦୀ ପଟକୁ କିଛି ଲୋକେ ଯାଇଥିବାବେଳେ ନିକଟରୁ ଦୁର୍ଗନ୍ଧ ହେଉଥିବାରୁ ଆଖପାଖରେ ବୁଲି ଦେଖିଥିଲେ। ନଦୀ ନିକଟରେ ଥିବା ଏକ ଗଛରେ ଜୈନିକ ଅଜଣା ଯୁବକଙ୍କ ଗଳିତ ମୃତଦେହ ଝୁଲୁଥିବା ନେଇ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ବେଲପଡା ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅପରାହ୍ନରେ ମୃତଦେହ ଜବତ କରିଥିଲା।
ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ୫ ରୁ ୬ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରା ଯାଉଛି। ଏ ସମ୍ପର୍କରେ ବେଲପଡା ପୁଲିସ କେସ ନଂ ୮/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଉଦ୍ଧାର ମୃତଦେହର ଚିହ୍ନଟ ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ବଲାଙ୍ଗୀରକୁ ପଠାଯାଇଥିବା ନେଇ ଜଣାପଡିଛି।