ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ନାଣ୍ଡା ପେଟାଗାଡୁ ପାହାଡ଼ରେ ଏକ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମହିଳା ଜଣକ ର୍ସିକୀ ଗ୍ରାମର କଲିନାଜୁ ସାହିର ମାନିନୀ ପ୍ରଧାନ(୨୭) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାନିନୀ ପ୍ରଧାନ ଜଣେ ବିବାହିତା ମହିଳା। ଗତ କିଛି ବର୍ଷ ତଳେ ରାଇକିଆ ନିକଟ ଜିଡେନାଜୁ ଗ୍ରାମର ମହେଶ ନାୟକଙ୍କୁ ସେ ବିବାହ କରିଥିଲେ। ତାଙ୍କର ୮ବର୍ଷର ପୁଅ ଏବଂ ୬ବର୍ଷର ଝିଅ ଅଛନ୍ତି। ମାନିନୀ ପ୍ରଧାନ ନିଜ ଶାଶୁ ଘର ଛାଡ଼ି ଗତ ତିନି ବର୍ଷ ହେଲା ନିଜ ବାପ ଘରେ ଆସି ରହୁଥିଲେ ଏବଂ ସ୍ଥାନୀୟ କଲେଜରେ +୨ ଦ୍ୱିତୀୟ ବର୍ଷ କଳାରେ ପଢୁଥିଲେ।

ଗତକାଲି ସେ ନିଜ ଘର ବାରିପଟେ ଗଛରେ ରଂଜା ଦେଉଥିବା ବେଳ ଏକ ଫୋନ ଆସିଥିଲା। କଥାହେବା ପରେ ମା’ଙ୍କୁ ମାନିନୀ କହିଥିଲେ, ମା’ ମୁଁ ଟିକେ ଯାଇକି ଆସୁଛି। ମା’ ପଚାରିଲେ କିଏ ଫୋନ କରିଥିଲା। ମାନିନୀ କହିଲେ ଜଣେ ସାଙ୍ଗ କରିଥିଲା । ତା’ପରେ ମାନିନୀ ଘରୁ ବାହାରି ଆସିଲେ। ତା’ପରେ ଆଉ ଫେରି ନ ଥିଲେ। ରାତି ହେଲା ପରେ ମା’ ବ୍ୟସ୍ତ ହୋଇ ନିଜ ସମ୍ପର୍କୀୟଙ୍କୁ ଝିଅ ବିଷୟରେ ପଚାରିବା ସହ ସବୁଆଡେ ଖୋଜିଥିଲେ। ଆଜି ସକାଳୁ ନାଣ୍ଡା ପେଟାଗାଡୁ ଜଙ୍ଗଲକୁ କାଠ ଆଣିବାକୁ ଗାଁ ଲୋକ ଯାଇଥିବା ବେଳେ ପାହାଡ଼ର ଏକ ବଣ ଭାଲିଆ ଗଛରେ ଏକ ଶବ ଝୁଲୁଥିବା ଦୃଶ୍ୟ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଖବର ପାଇ ସ୍ଥାନୀୟ ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫୁଲବାଣୀରୁ ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନକାରୀ କୁକୁରକୁ ଆଣିବା ନିମନ୍ତେ ବ୍ୟବସ୍ଥା କରିଥିଲେ। ଅପରାହ୍ନରେ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କୁକୁର ଘଟଣାସ୍ଥଳରେ ପହଞ୍ଚି ମାନିନୀ ବେକରେ ଦେଇଥିବା ଚୁନିର ଗଣ୍ଠିକୁ ସୁଙ୍ଘିବା ପରେ  ଆଗେଇଥିଲା। ଜଙ୍ଗଲରୁ ବାହାରି ର୍ସିକୀ ମୁଖ୍ୟ ରାସ୍ତାରେ ଆଗେଇ ଚାଲିଥିବା ବେଳେ ର୍ସିକୀ ଗାଁ ପୂର୍ବରୁ ବର୍ଷା ବାଧକ ସାଜିଥିଲା ।  ମାନିନୀର ମିଳିଥିବା ଝୁଲନ୍ତା ଶବ ନିକଟ ପାରିପାର୍ଶ୍ଵିକ ଅବସ୍ଥା ଦେଖିଲେ କେହି ହତ୍ୟା କରି ଗଛରେ ଝୁଲେଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର