ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଥିବା ସରକାରୀ ତାଲିମ ଶିଳ୍ପ କେନ୍ଦ୍ରରେ ପୁଣି ଜଣେ କର୍ମଚାରୀ ଜୀବନ ହାରିଛନ୍ତି। ଏଠାରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷିକା ଜୟଲକ୍ଷ୍ମୀ ହେମ୍ବ୍ରମ୍ (୪୨)ଙ୍କ ଲାଇବ୍ରେରୀ ରୁମରେ ପଙ୍ଖାରେ ଝୁଲିପଡ଼ିଛନ୍ତି। ଏଥି ସହିତ ବିଗତ ୫ ବର୍ଷରେ ଏହି ଶିକ୍ଷାନୁଷ୍ଠାନରେ ୩ ଜଣ ଲୋକ ପ୍ରାଣ ହରାଇସାରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜୟଲକ୍ଷ୍ମୀ ଦୀର୍ଘଦିନ ହେଲା ମାନସିକ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ଧରି ମେଡ଼ିକାଲ ଲିଭରେ ରହିବା ପରେ ଗତ ୧୫ ଦିନ ହେଲା କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଏହି ଅନୁଷ୍ଠାନରେ ଇଲେକ୍ଟ୍ରୋନିକ ଓ ମେକାନିକ ବିଭାଗରେ ସହକାରୀ ପ୍ରଶିକ୍ଷିକା ଭାବେ ୨୦୧୯ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ୨୦୨୨ରେ ତାଙ୍କ ଚାକିରି ନିୟମିତ ହେଇଥିଲା। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଳାର ବୋଲି ଜଣାପଡିଛି। ସେ ଏଠାରେ ଲାଇବ୍ରେରୀର ଦାୟିତ୍ବରେ ମଧ୍ୟ ଥିଲେ। ଯେହେତୁ ବର୍ତ୍ତମାନ ଫର୍ମ ଫିଲଅପ ଚାଲିଛି ତେଣୁ ଛାତ୍ରଛାତ୍ରୀମାନେ ବହି ଫେରାଉ ଥିଲେ।
ଆଦି ଦିନ ୨ଟା ୩୦ସମୟରେ ଯେତେବେଳେ ଜୟଲକ୍ଷ୍ମୀ ଘରକୁ ଖାଇବା ପାଇ ଫେରି ନଥିଲେ। ତେଣୁ ସ୍ବାମୀ ଭରତ ଚନ୍ଦ୍ର କିସ୍କୁ ଲାଇବ୍ରେରୀ ରୁମକୁ ଯାଇ ଦେଖିବା ବେଳକୁ ଜୟଲକ୍ଷ୍ମୀ ନିଜ ଓଢଣୀକୁ ଫେନରେ ଲଗେଇ ଝୁଲିକି ରହିଛନ୍ତି। ସେ ତୁରନ୍ତ ସବୁ ଷ୍ଟାଫକୁ ଡ଼ାକିଥିଲେ। ସେତେବେଳକୁ ଜୟଲକ୍ଷ୍ମୀ ମୃତ ଅବସ୍ଥାରେ ଥିଲେ। ଖବର ପାଇଁ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଁଚି ଲାଇବ୍ରେରୀ ରୁମକୁ ସିଲ୍ କରି ଦେଇଛନ୍ତି। ମୃତା ଶିକ୍ଷୟତ୍ରୀଙ୍କ ଭାଇ କୋରାପୁଟରୁ ପହଞ୍ଚିବ। ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ତେବେ ଏହି ସରକାରି ଶିଳ୍ପ ଅନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଆତ୍ମହତ୍ୟା କରି ସାରିଲେଣି। ଗତ ବର୍ଷ ରାଇଘର ଅଞ୍ଚଳର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷ ପୂର୍ବେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହେଇଥିଲା। ବର୍ତ୍ତମାନ ଜଣେ ସହକାରୀ ପ୍ରଶିକ୍ଷକ ଆତ୍ମହତ୍ୟା କରିଛନ୍ତି।