ରାସ୍ତା ନାହିଁ କହି ଅଧବାଟରେ ଛାଡ଼ିଦେଲା ଶବବାହକ ଗାଡ଼ି, ୭କିମି ଖଟିଆରେ ବୁହାହେଲା ଶବ

ନକ୍ସଲ ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦନ୍ତେୱାଡା ଜିଲ୍ଲାରୁ ଏକ ଅବବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶବକୁ ଅଧା ରାସ୍ତାରେ ଛାଡି ଦେଇ ରାସ୍ତା ନଥିବା ଦର୍ଶାଇ ଶବ ଗାଡିର ଡ୍ରାଇଭର ଶବକୁ ବାହାର କରିଦେଇ ଚାଲି ଯାଇଥିଲା। ସମ୍ପର୍କୀୟମାନେ ଶବକୁ ଏକ ଖଟିଆ ସାହାଯ୍ୟରେ ପ୍ରାୟ ୭ କିଲୋମିଟର ଚାଲି ଚାଲି ଘରକୁ ଆଣିଥିଲେ। ନୀଲବାୟା ଗ୍ରାମର ଜଣେ ୫୨ ବର୍ଷର ବୃଦ୍ଧ ଗୁରୁତର ହେବାରୁ ପରିବାର ଲୋକେ ତାକୁ ଜଗଦଲପୁର ନେଉଥିଲେ। ତେବେ ରାସ୍ତାରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିଲା। ଶବବାହକ ଗାଡ଼ି ଦ୍ବାରା ଶବକୁ ନୀଲବାୟା ଛାଡିବାକୁ କୁହାଯାଇଥିଲା। କିନ୍ତୁ ରାସ୍ତା ଖରାପ ଦର୍ଶାଇ ଅରନପୁର ନିକଟରେ ଗାଡି ଚାଳକ ଛାଡି ଚାଲିଯାଇଥିଲା। ନୀଲବାୟା ସେହି ଗ୍ରାମ ଯେଉଁ ଗ୍ରାମରେ ନକ୍ସଲ ଗତ ୫ବର୍ଷ ହେଲା ରାସ୍ତା କାମକୁ ସମାପ୍ତ କରିବାକୁ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ଗ୍ରାମର ରାସ୍ତା ନିର୍ମାଣ ହେଉଛି। କିନ୍ତୁ ନକ୍ସଲ ଏହି ରାସ୍ତାକୁ ନିର୍ମାଣ କରିବାକୁ ଦେଉ ନାହାନ୍ତି।

ପ୍ରକାଶଥାଉକି, ଏହି ରାସ୍ତାରେ ହିଁ ଦୂରଦର୍ଶନର କ୍ୟାମେରାମ୍ୟାନ ସହ ଜଣେ ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ସେଭଳି ଶୋଚନୀୟ ହୋଇ ରହିଛି। ଅନ୍ୟ ଦିଗରେ ପୁଲିସ ଛତିଶଗଡରେ ନକ୍ସଲ ବେକ ଫୁଟରେ ରହିଥିବା ଡିଣ୍ଡିମ ପିଟୁଥିବା ବେଳେ ନୀଲବାୟା ଗ୍ରାମକୁ ଆଜି ବି ବିକାଶ ପହଞ୍ଚିପାରି ନାହିଁ। ଏଠାରେ ବିକାଶ ହୋଇ ପାରୁନଥିବାରୁ ଏଠାରେ ନକ୍ସଲଙ୍କର ଦବଦବା ରହିଥିବା ସହଜରେ ଅନୁମେୟ। ଏହି ରାସ୍ତା ପୂର୍ବରୁ ଠିକ ଥିଲା। ଗାଡିମଟର ଯିବା ଆସିବା କରୁଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ଆରମ୍ଭ ହେବାରୁ ଏହା ଖରାପ ହୋଇ ପଡିଛି।

ଆଜି ବି ଲୋକେ ପାଦରେ ଚାଲି ଚାଲି ଯିବା ଆସିବା କରୁଛନ୍ତି।ଏଠାରେ ରହିଥିବା ଗୋଲାନାଲା ବ୍ରିଜକୁ ନକ୍ସଲ ଉଡାଇ ଦେବା ପରେ ଲୋକେ ଏହି ନଦୀରେ ଜୀବନକୁ ବାଜି ଲଗାଇ ପାର ହେଉଥିବା କହିଛନ୍ତି। ଏହି ନଦୀରେ ବ୍ରିଜ ନକ୍ସଲ କରାଇ ଦେଉନାହାନ୍ତି। ବର୍ଷା ଦିନ ହେଲେ ଏହି ନଦୀରେ ଯିବା ଏକ ପ୍ରକାର ଜୀବନକୁ ବାଜି ଲଗାଇବା ଭଳି ମନେ ହୁଏ। ଗତ ୫ ବର୍ଷ ହେଲା ଏଠାରେ ନା ରାସ୍ତା ହେଉଛି ନା ବ୍ରିଜ ତିଆରି ହେଉଛି ଲୋକେ ଏଭଳି ଅତି ଦୟନୀୟ ଭାବେ ଯିବା ଆସିବା କରୁଛନ୍ତି। ସୀମାନ୍ତ ଗ୍ରାମର ବିକାଶର ଚିତ୍ର ଏଭଳି ରହିଛି।

ସମ୍ବନ୍ଧିତ ଖବର