ଯୁବତୀଙ୍କୁ ହତ୍ୟା କରି ଅଖାରେ ବାନ୍ଧି ଋଷିକୁଲ୍ୟାରେ ଫିଙ୍ଗିଦେଲେ, ହତ୍ୟା ମାମଲା ରୁଜୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍ ନିକଟ ଋଷିକୁଲ୍ୟା ନଦୀରୁ ଆଜି ଅଖା ଭିତରେ ପଥର ସହ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ଗଳିତ ଶବ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ହେଲେ ମୃତକଙ୍କ ପରିଚୟ ଏଯାବତ୍‌ ମିଳିନି। ଆଜି ସକାଳେ ନଦୀରେ ଏକ ଜରିଅଖା ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୁଲିସକୁ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍‌.ପି.ଠାକୁର ପ୍ରସାଦ ପାତ୍ର, ଗଞ୍ଜାମ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଓ ଗଞ୍ଜାମ ଥାନା ଏସ୍‌ଆଇ ଅଜିତ କୁମାର ପରିଡ଼ା ପ୍ରମୁଖ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ବସ୍ତା ଭିତରୁ ଯୁବତୀଙ୍କ ଶବ ଉଦ୍ଧାର କରା ଯାଇଥିବା ବେଳେ ପଥର ବି ବନ୍ଧା ଯାଇଥିଲା। ଏହା ସହ ଏକ ଚାଦର ଘୋଡ଼ା ଯାଇଥିଲା। ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ‌ବୋଲି ଅନୁମାନ କରାଯାଉଛି। ସେ ନାଲିରଙ୍ଗର ଏକ ନାଇଟି ପିନ୍ଧିଛନ୍ତି। ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ସହ ବେକରେ କଳାଦାଗ ମଧ୍ୟ ରହିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଗଞ୍ଜାମ ଥାନାରେ କେସ୍‌ ନମ୍ବର ୧୪୯ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି। କୌଣସି ସ୍ଥାନରେ ଯୁବତୀଙ୍କୁ ହତ୍ୟା କରିବା ପରେ ଋଷିକୁଲ୍ୟା ନଦୀରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ଆଖପାଖ ଥାନା ଇଲାକାରେ ବିଭିନ୍ନ ନିଖୋଜ ମାମଲାକୁ ବି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର