ପୋଲ ତଳୁ ଢାବା ମିସ୍ତ୍ରିଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରୁ ଆଜି ଜଣେ ଢାବା ମିସ୍ତ୍ରିଙ୍କ ଶବକୁ ପୋଲତଳୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତରା ଗ୍ରାମର କୃତାର୍ଥ ସ୍ବାଇଁ (୬୫)। ପୁଲିସ ସୂଚନା ଅନୁଯାୟୀ କୃତାର୍ଥ କିଛିଦିନ ହେଲା ରେଢ଼ାଖୋଲ ଥାନା ଅର୍ନ୍ତଗତ ୫୫ ନଂ ଜାତୀୟ ରାଜପଥ କୁଟାସିଙ୍ଗାଠାରେ ଥିବା ମାହେଶ୍ବରୀ ଢାବାରେ ମିସ୍ତ୍ରି ଭାବେ କାମ କରୁଥିଲେ। ଗୁରୁବାର ରାତିରେ କୃତାର୍ଥ ଅନ୍ୟ କର୍ମଚାରୀଙ୍କୁ ବିଡ଼ି ପିଇ ଆସୁଛି କହି ଢାବା ବାହାରକୁ ଯାଇଥିଲେ। ଦୀର୍ଘ ସମୟ ଧରି ନଫେରିବାରୁ ହୋଟେଲ ମାଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ନ ପାଇବାରୁ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ହୋଟେଲ ନିକଟରେ ଥିବା ଏକ ପୋଲ ତଳୁ ଉଦ୍ଧାର କରାଯାଇଥିଲା।

ଏ ବାବଦରେ ଢାବା ମାଲିକ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଖବରପାଇ ଆଜି କୃତାର୍ଥଙ୍କ ପରିବାର ଲୋକ ରେଢ଼ାଖୋଲରେ ପହଞ୍ଚିଥିଲେ। ବାପାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଛି ବୋଲି ମୃତକଙ୍କ ପୁଅ ପବିତ୍ର ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଶବ ବ୍ୟବଚ୍ଛେଦ କରାଯାଇ ନାହିଁ। ଆସନ୍ତାକାଲି ସମ୍ବଲପୁରରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଆସି ଅନୁସନ୍ଧାନ କରିବା ପରେ ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତ ଦାୟିତ୍ବରେ ଥିବା ଏସ୍‌ଆଇ ସୈାମ୍ୟରଂଜନ ମହାଲିକ ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଶବ ପଡି ରହିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଗତ ଅଗଷ୍ଟ ୧୨ ତାରିଖରେ ଏହି ଢାବା‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କୁଟାସିଙ୍ଗା ଗ୍ରାମର କିଶୋରୀ ବେହେରାଙ୍କ ମୃତଦେହ ଢାବା ପଛପାଖରେ ଥିବା ଏକ ନାଳ ନିକଟରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର