ଚିଲିକାରେ ଡଙ୍ଗାରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଇରୀ ପଞ୍ଚାୟତର ନଇରୀ ଜେଟି ଓ ଗଙ୍ଗା ଜମୁନା ଘାଟ ମଧ୍ୟସ୍ଥ ଚିଲିକାର ହନୁମାନ ପେଣ୍ଠ ନିକଟରୁ ନାଚୁଣୀ ଥାନା ପୁଲିସ ଜଣେ ଯୁବ ମତ୍ସ୍ୟଜୀବୀଙ୍କର ଶବ ତାଙ୍କର ଡ଼ଙ୍ଗା ଉପରୁ ଉଦ୍ଧାର କରିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ସାନ ନଈରୀ ଗ୍ରାମର ମାନିଆ ବେହେରା (୪୦)।
ସୂଚନା ଅନୁସାରେ ମାନିଆ ପେସାରେ ଧୀବର (ମତ୍ସ୍ୟଜୀବୀ) ହୋଇଥିବା ବେଳେ ଗତକାଲି ରାତିରେ ଚିଲିକାକୁ ମାଛ ଧରିବା ପାଇଁ ଯାଇଥଲେ। ସେ କାଲି ଘରକୁ ଫେରି ନଥିଲେ। ଆଜି ସକାଳୁ ଚିଲିକା ଜଳରାଶିରେ ତାଙ୍କ ଡ଼ଙ୍ଗାଟି ଭାସୁଥିବା ବେଳେ ମାନିଆଙ୍କ ମୃତଦେହ ଉକ୍ତ ଡଙ୍ଗାରେ ପଡିରହିଥିବାର ଅନ୍ୟ ଧୀବରମାନେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଧୀବରମାନେ ପୁଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ସମ୍ବନ୍ଧିତ ଖବର