ଲକ୍ଷ୍ମୀପୁର ଆଈଓବି ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର 

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଆଈଓବି ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଆଜି ସେ ରହୁଥିବା ଭଡା ଘରରୁ ଉଦ୍ଧାର ହୋଇଛି। ମୃତ ବ୍ୟାଙ୍କ ମ୍ୟାନେଜର ହେଲେ ସରୋଜ କୁମାର ଶବର। ତାଙ୍କର ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବୋଲି ଜଣାପଡ଼ିଛି। ତେବେ କେଉଁ ଦିନ ଓ କେତେବେଳେ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡିନାହିଁ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ପହଂଚାଇଥିଲା। ଡାକ୍ତରଖାନାରେ ସରୋଜଙ୍କୁ ନିଆଯିବା ପରେ ସେଠରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶନିବାର ଓ ରବିବାର ଛୁଟି ଥିବାରୁ କର୍ମଚାରୀମାନେ ମ୍ୟାନେଜରଙ୍କ ବାବଦରେ ଅଧିକ କିଛି ଜାଣି ନଥିଲେ।

ଗତ ଦୁଇ ବର୍ଷ ହେଲା ସେ ଲକ୍ଷ୍ମୀପୁରର ଆଈଓବି (ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ)ର ମ୍ୟାନେଜର ଦାୟିତ୍ୱରେ ଥିଲେ। ଧର୍ମଗଡରୁ ତାଙ୍କ ପତ୍ନୀ ସଂଯୁକ୍ତା ଶବର, ଝିଅ ବର୍ଷା ବୈଶାଳି ଶବର, ପୁଅ ଅବିନାଶ ଶବର ସମେତ କୋରାପୁଟ ବ୍ୟାଙ୍କ ମ୍ୟାନେଜର ବୁଟଲୁ ମାଝି ଆସି ପହଚିଂବା ପରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସରୋଜ ଗତ ଦୁଇ ବର୍ଷ ମଧ୍ୟରେ ଲୋକଙ୍କ ସହ ମିଳିମିଶି ରହିବା ସହ ଗ୍ରାହକମାନଙ୍କୁ ଉଚିତ ସେବା ପ୍ରଦାନ କରିଆସୁଥିବା ବେଳେ ତାଙ୍କ ବିୟୋଗରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଶନିବାର ଅପରାହ୍ନରେ ଶେଷଥର ପାଇଁ ତାଙ୍କ ପତ୍ନୀ ଫୋନରେ କଥା ହୋଇଥିଲେ। ସେହିଦିନ ରାତିରେ ଏବଂ ରବିବାର ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ୍‌ କରିନଥିବା ତାଙ୍କ ପତ୍ନୀ ପ୍ରକାଶ କରିଥିଲେ। ଶନିବାର ଦିନ ରାତିରେ ହୋଟେଲ୍‌ରୁ ମିଲ୍‌ସ ପାର୍ସଲ କରି ନେଇଥିବା ବେଳେ ତାଙ୍କ ବିଛଣା ନିକଟରେ ହିଁ ସେମିତି ମିଲ୍‌ସ ପଡିରହିଥିଲା ପୁଲିସ କହିଛି।  ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ତଦନ୍ତକାରୀ ଅଧିକାରୀ ଛବିନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର