କଲରାପତରିଆ ବାଘର ମୃତଦେହ ଉଦ୍ଧାର

ବୌଦ୍ଧ: କୁସଙ୍ଗ ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲର ଲେଦେରାକେନ୍ଦୁ ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଆଜି ସକାଳୁ ବାଘଟି ମରି ପଡିଥିବା ଦେଖି ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ପାଇଁ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଓ ନୟାଗଡ଼ ବନ୍ୟପ୍ରାଣୀ ଡିଏଫଓ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହିତ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଇଥିଲେ ।

ତେବେ ମୃତ ବାଘର ବୟସ ୩ ବର୍ଷ ୬ ମାସ ଓ ତାର ପଛର ଗୋଟିଏ ଗୋଡ଼ କୌଣସି କାରଣରୁ କିଛିଦିନ ହେଲା ଆହତ ଥିବା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୂଚନା ଦେଇଛନ୍ତି । ତେବେ ସଂରକ୍ଷିତ ଜଙ୍ଗଲରେ ଅବାଧ ପଶୁ ଶିକାର ଚାଲିଥିବା ଅଭିଯୋଗ ହୋଇ ଆସୁଥିବାବେଳେ ବାଘ ଆହତ ହେବା ଘଟଣା ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନଙ୍କୁ ଅଡୁଆରେ ପକାଇଦେଇଛି ।

ବାଘଟି କୌଣସି ଶିକାରୀ ଦ୍ୱାରା ଆହତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ନହେଲେ ସଂରକ୍ଷିତ ଜଙ୍ଗଲ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର