ଜିଲ୍ଲା ପ୍ରଶାସନ ସହାୟତାରେ ଗାଁକୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ପ୍ରବାସୀ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ଜଣାଯାଇଛି। ଟିକୁନୁ ତିନି ମାସ ପୂର୍ବରୁ କାମ ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ପଶ୍ଚିମ ଗୋଦାବରୀ ଜିଲ୍ଲା ବିଭାବରମଠାରେ ଦାଦର ଏକ୍ସପୋର୍ଟ ନାମକ ଏକ କମ୍ପାନିରେ କାମ କରୁଥିଲେ। ଗତ ମାସ ୩୦ ତାରିଖ ସକାଳେ ସହକର୍ମୀମାନେ କମ୍ପାନି ହଷ୍ଟେଲରେ ତାଙ୍କୁ ମୃତ ଅବସ୍ଥାରେ ଦେଖି କମ୍ପାନି କର୍ତ୍ତୃପକ୍ଷଙ୍କ ଜଣାଇଥିଲେ। କମ୍ପାନି ପକ୍ଷରୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବିଷୟରେ କମ୍ପାନି ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ତେବେ ପରିବାର ଲୋକେ ଅସମର୍ଥ ଥିବାରୁ ଶବ ଆଣିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିକଟରେ ନେହୁରା ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମ‌େ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ମୃତକଙ୍କ ବଡ଼ଭାଇ ସହ ଗ୍ରାମର ୫ ଜଣଙ୍କୁ ଶବ ଆଣିବା ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସରେ ଶବ ଗ୍ରାମକୁ ଅଣାଯାଇଥିଲା। ପ୍ରାଥମିକ ଭାବରେ କମ୍ପାନି ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅବଶିଷ୍ଟ ସହାୟତା ପରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର