ବୀରମହାରାଜପୁର: ପେଟ ପୋଷିବା ପାଇଁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁକୁ ଯାଇଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ସେଠାରେ ମୃତ୍ୟୁ ହୋଇଛି। ଆଜି ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହ ନିଜ ପୈତୃକ ଘରକୁ ଫେରିଛି। ମୃତ ଦାଦନ ଶ୍ରମିକ ହେଲେ ଅଚ୍ୟୁତ ନାଏକ।

Advertisment

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗରିଆମୁଣ୍ଡା ଗାଁର ଅଚ୍ୟୁତ ନାଏକ ତିନି ବର୍ଷ ପୂର୍ବରୁ ସେଠାରେ ଥିବା ଏକ କମ୍ପାନିରେ କାମ କରିବାକୁ ଯାଇଥିଲେ। ସେଠାରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଅଚ୍ୟୁତ ନାଏକଙ୍କ ମୃତ୍ୟୁ ଖବର ନେଇ ମୃତଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ।

ତେବେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଓ ଓଡ଼ିଶା ମୋ ପରିବାର ସହାୟତାରେ ଅଚ୍ୟୁତ ନାଏକଙ୍କ ମୃତଦେହ ଆଜି ଘରକୁ ପହଁଚିଛି। ଅତ୍ୟୁତଙ୍କ ମୃତଦେହ ଗାଁରେ  ପହଞ୍ଚିଲା ପରେ ଶୋକାକୁଳ ପରିବେଶ ଦେଖାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ରୋଜଗାରର ସ୍ରୋତ କିଛି ନଥିବାରୁ ଯୁବକଯୁବତୀମାନେ ବାହାର ରାଜ୍ୟକୁ ପେଟ ପୋଷିବା ପାଇଁ ଯାଉଛନ୍ତି। ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନିର୍ଯାତନାର ଶିକାର ମଧ୍ୟ ହେବାକୁ ପଡୁଛି। ପ୍ରତିମାସରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ମୃତଦେହ ଫେରୁଛି।