ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କୋଟପାଡ଼: କେରାପୁଟ ଜିଲ୍ଲା କୋଟପାଡ଼ ଥାନା ଅଂଚଳରେ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ତେନ୍ତୁଳି ଗଛରୁ ଉଦ୍ଧାର ହୋଇଛି । ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଅଂଚଳର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ନାବାଳିକା ପିନ୍ଧିଥିବା ପୋଷାକ ଚିରିଯାଇଛି ।

କୋଟପାଡ଼ ଆଇଆଇସି ଉଲ୍ଲାସ ମାଝୀ କହିଛନ୍ତି, ନାବାଳିକା ଜଣକ ଗତକାଲି ରାତି ପ୍ରାୟ ସାଢେ ୧ଟାରେ ପରିଶ୍ରା କରିବା ଲାଗି ବାହାରକୁ ଯାଇଥିଲେ । ଏହା ପରଠାରୁ ସେ ଆଉ ଘର ଭିତରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ଶେଷରେ ବାଡ଼ି ପଛପଟରେ ଥିବା ତେନ୍ତୁଳି ଗଛରୁ ନାବାଳିକାର ଝୁଲନ୍ତା ମୃତଦେହ ଠାବ କରିଥିଲେ । ପରିବାର ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ନାବାଳିକାର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।

ଝିଅର ପ୍ରେମିକ ହିଁ ନାବାଳିକାର ହତ୍ୟାକାରୀ ବୋଲି କହିଛନ୍ତି ନାବାଳିକାର ପିତା । ପୁଲିସ ଏହି ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁ ଆଣି ପଚାରାଉଚରା କରୁଥିବା ବେଳେ ଏବେଯାଏଁ ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର