ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରାସ୍ଥିତ ପ୍ରସିଦ୍ଧ ଘୁମରେଶ୍ବର ଶୈବପୀଠ ନିକଟରେ ଥିବା ଜଳପ୍ରପାତ ମଧ୍ୟରୁ ନିଖୋଜ ଥିବା ଯୁବକ ଙ୍କ ଶବ ଆଜି ଅପରାହ୍ନରେ ଉଦ୍ଧାର କରାଯାଇଛି। ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦୁଇଦିନର ଅକ୍ଲାନ୍ତ ଉଦ୍ୟମ ପରେ ଆଜି ଗଭୀର ପାଣି ମଧ୍ୟରୁ ଯୁବକ ଙ୍କ ଶବ ଉଦ୍ଧାର କରାଯାଇଛି।
ଗତକାଲି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଂଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ତିନି ଜଣ ଯୁବକ ଘୁମରେଶ୍ବର ଶୈବପୀଠ ଦର୍ଶନ କରିବାକୁ ଆସିଥିଲେ। ଯୁବକମାନେ ମହାଦେବ ଦର୍ଶନ ସାରି ନିକଟରେ ଥିବା ୱାଟରଫଲ ନିକଟକୁ ଯାଇ ବୁଲାବୁଲି କରିଥିଲେ। ଏହି ସମୟରେ ହରିବନ୍ଧୁ ଗୌଡ଼ ନାମକ ୧୮ ବର୍ଷୀୟ ଯୁବକ ଜଳପ୍ରପାତ ଉପରୁ ସେଲ୍ଫି ନେବା ସମୟରେ ଅସାବଧାନତା ବଶତଃ ଗଡ଼ ଖସି ଯିବାରୁ ଜଳ ପ୍ରପାତ ପାଣି ମଧ୍ୟରେ ପଡ଼ି ନିଖୋଜ ହୋଇଥିଲା। ଏହା ପରେ ସାଥିରେ ଯାଇଥୁବା ଦୁଇଜଣ ସାଙ୍ଗ ନିଖୋଜ ଥିବା ଯୁବକ ବିଷୟରେ ସମ୍ପୃକ୍ତ ପରିବାର ଙ୍କୁ ଜଣେଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଜଳ ପ୍ରପାତ ମଧ୍ୟରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ ସନ୍ଧାନ ମିଳିନଥିଲା। ଆଜି ପୂର୍ବାହ୍ନରୁ ଅଗ୍ନିଶମ କର୍ମଚାରୀ ପୁଣି ସନ୍ଧାନ ଅଭିଯାନ ଜାରି ରଖିଥିଲେ। ତେବେ ଦୀର୍ଘ ସମୟ ଧରି ପାଣି ଭିତରେ ଖୋଜାଖୋଜି ପରେ ମଧ୍ୟ ନିଖୋଜ ଯୁବକ ହରିବନ୍ଧୁଙ୍କ ଶବ ମିଳିନଥିଲା। ଶେଷରେ ଅଗ୍ନିଶମ କର୍ମଚାରୀ ଅକ୍ସିଜେନ କିଟ ପରିଧାନ କରି ଖୋଜିବା ଆରମ୍ଭ କରିଥିଲେ। ତେବେ ଦୀର୍ଘ ସମୟ ପରେ ପାଣି ମଧ୍ୟରୁ ନିଖୋଜ ଯୁବକଙ୍କ ଶବ ବାହାର କରିବାରେ ଅଗ୍ନିଶମ କର୍ମଚାରୀ ଙ୍କୁ ସଫଳତା ମିଳିଥିଲା। ଏନେଇଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ଯୁବକଙ୍କ ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ସ୍ଥାନାନ୍ତରିତ କରିଥିବା ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି।