ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବାରୁଡ଼ା ପଞ୍ଚାୟତର ବିଲିପଡା ଗ୍ରାମରେ ଜଣେ ନବବଧୂକୁ  ତାର ଶ୍ବଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଲିପଡା ଗ୍ରାମର କିଶୋର ପ୍ରଧାନଙ୍କ ପୁଅ ବିଭୂତି ଗତ ଜୁଲାଇ ମାସରେ ସାର୍ଦ୍ଦୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଝିଅ ନାରାୟଣୀକୁ ବିବାହ କରିଥିଲେ। ବିବାହ ପରଠାରୁ ଶ୍ବଶୁର ଘର ଲୋକ ନାରାୟଣୀକୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିବା ବ‌େଳେ ଗତକାଲି ରାତିରେ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ପୂର୍ଣ୍ଣଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ନାରାୟଣୀଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ କେସ୍‌ ନମ୍ବର ୫୫୭ ଦଫା ୪୯୮ ଏ,୩୨୩,୩୦୨,୩୦୪ ବି ଏବଂ ୩୪ ଆଇପିସିରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି। ଏଥିସହ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍ ଆସି ଭଞ୍ଜନଗର ମେଡିକାଲରେ ମୃତଦେହ ଏବଂ ବିଲିପଡା ଗ୍ରାମକୁ ଯାଇ ଛାନଭିନ୍‌ କରି ଫେରିଛନ୍ତି।

Advertisment

publive-image

ସୂଚନା ଅନୁଯାୟୀ,ପୂର୍ଣ୍ଣଚନ୍ଦ୍ର ଏବଂ କିଶୋର ସଂର୍ପକରେ ଦୁଇ ଶଢୁ। ଗତ ଜୁଲାଇ ମାସରେ ପୂର୍ଣ୍ଣଚନ୍ଦ୍ରଙ୍କ ଦ୍ବିତୀୟ ଝିଅ ନାରାୟଣୀ(୨୨) ସହ ବିଭୂତିର ବୌଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ପରିବାର ଲୋକ ‌ଯୌତୁକ ପ୍ରଦାନ କରିଥିବା ବେଳେ ବିବାହ ପରଠାରୁ ଅଧିକ ‌ଯୌତୁକ ଦାବି କରି ଶାଶୂ,ନଣନ୍ଦ ଏବଂ ସ୍ବାମୀ ନାରାୟଣୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ଗତକାଲି ତାକୁ ହତ୍ୟା କରିଥିବା ବେଳେ ନାରାୟଣୀର ଶରୀରର ବେକ,ହାତ,ଗାଲ ଏବଂ ‌ଆଖିରେ ଆଘାତ ଚିହ୍ନ ରହିଥିବାରୁ ତାକୁ ଅତି ନିର୍ମମ ଭାବେ ପରିବାର ଲୋକ ହତ୍ୟା କରିଥିବା ସେ ଦର୍ଶାଇଛନ୍ତି। ଏହାପରେ ପୁଲିସ୍‌ ଆଜି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି। ଏସ୍‌ଆଇ ମନସ୍ବିନୀ ମହାନ୍ତି ଘଟଣାର ତଦନ୍ତ ଭାର ନେଇଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି।