ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତ ସଂଦେହ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଦେବଗୁଡା ନିକଟସ୍ଥ ଏକ ବିଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବୃଦ୍ଧ ଜଣକ ବୈପାରିଗୁଡା ପଞ୍ଚାୟତର ପଡେଇଗୁଡା ଗ୍ରାମର ମୁକୁନ୍ଦ ତେନ୍ତୁଳିପାଡିଆ(୭୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମୁକୁନ୍ଦ ତେନ୍ତୁଳିପାଡିଆ ଦଶମନ୍ତପୁର ପଞ୍ଚାୟତର କଟ୍ରାଗୁଡା ଠାରେ ରହୁଥିବା ନିଜ ଭଉଣୀଙ୍କ ଘରକୁ ଯିବା ପାଇଁ ଆଜି ପଡେଇଗୁଡାରୁ ଚାଲି ଚାଲି ଯାଉଥିଲେ। ତେବେ ପାଖ ବାଟ ଦେଇ ଯିବା ପାଇଁ ସେ ପାଣ୍ଡିପଡା ଦେଇ ପାଦଚଲା ରାସ୍ତାରେ ଯାଉଥିଲେ। କିନ୍ତୁ କଟ୍ରାଗୁଡା ପହଞ୍ଚିବା ପୂର୍ବରୁ ଦେବଗୁଡାର ବିଲରେ ତାଙ୍କର ମୃତ୍ୟୁ ଘଟିଯାଇଥିବା ଅନୁମାନ କରାଯାଉଛି। ଅପରାହ୍ନ ଚାରିଟା ବେଳେ ଦେବଗୁଡାର ଦୁଇ ଜଣ ଯୁବକ ବିଲ ପାଖରେ ଥିବା କୂଅକୁ ଗାଧୋଇବା ପାଇଁ ଯାଇ ମୁକୁନ୍ଦର ମୃତ ଦେହ ଦେଖିବାକୁ ପାଇଥିଲେ। ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ଶବ ଚିହ୍ନଟ କରିବା ପାଇଁ ଚେଷ୍ଟା କରିଥିଲି ମଧ୍ୟ ଜାଣିପାରିନଥିଲେ।

ତେବେ ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରସାରିତ ହେବା ଫଳରେ ପଡେଇଗୁଡାରେ ରହୁଥିବା ମୁକୁନ୍ଦଙ୍କ ପରିବାର ଲୋକେ ସଂଦେହରେ ପଡ଼ିଥିଲେ। ପ୍ରକୃତରେ ଶବଟି କାହାର ଜାଣିବା ପାଇଁ ମୁକୁନ୍ଦଙ୍କ ଜ୍ବାଇଁ ପ୍ରଭୁ ତରବ୍ ଏବଂ ସଂପର୍କୀୟ ଦେବଗୁଡା ଯାଇଥିଲେ। ସେଠାରେ ପହଞ୍ଚି ଜ୍ବାଇଁ ପ୍ରଭୁ ଓ ପରିବାର ଲୋକେ ମୁକୁନ୍ଦଙ୍କ ଶବଟିକୁ ଚିହ୍ନଟ କରିଥିଲେ ଏବଂ ନିଜ ଗ୍ରାମକୁ ନେଇଥିଲେ। ଅତ୍ୟଧିକ ଖରା ଯୋଗୁଁ ମୁକୁନ୍ଦଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥାଇ ପାରେ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର