ନଦୀରେ ଭାସି ନିଖୋଜ ହୋଇଥିଲେ ବୃଦ୍ଧ, ଦଶ ଦିନ ପରେ ମୃତଦେହ ଉଦ୍ଧାର

ବୈପାରିଗୁଡ଼ା: ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କ ମୃତଦେହ ଆଜି ଦଶ ଦିନ ପରେ ଉଦ୍ଧାର ହୋଇଛି। ମୃତକ ହେଲେ ବେତୃ ସାନ୍ତା (୬୦)।

ଘଟଣା ଅନୁଯାୟୀ, ଗତ ଅଗଷ୍ଟ ମାସ ୩୧ ତାରିଖ ଦିନ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ବାଙ୍କୁଲିଯୋଡ଼ି ଗ୍ରାମର ବେତୃ ସାନ୍ତା ନିଜ ପତ୍ନୀ ସାଦେଇଙ୍କ ସହ ରାମଗିରି ସାପ୍ତାହିକ ହାଟକୁ ଯାଇଥିଲେ। ଫେରିବା ବାଟରେ ମାଟିଖାଲଗୁଡାରେ ରହୁଥିବା ଭଣଜା ଘରକୁ ଯାଇ ସେଠାରେ ରାତ୍ରୀଯାପନ କରିଥିଲେ। ତାପର ଦିନ ଘରକୁ ଫେରୁଥିବା ବେଳେ ଗାଆଁ ପାଖ ଖାମରାଗାଡ଼ ନଦୀ ପାର ହେଉଥିବା ବେଳେ ଗୋଡ଼ ଖସି ଯିବାରୁ ବେତୃ ପ୍ରଖର ସୁଅରେ ଭାସିଯାଇଥିଲେ। ବେତୃଙ୍କ ପତ୍ନୀ ସାଦେଇ ଗାଆଁକୁ ଆସି ଗ୍ରାମବାସୀଙ୍କୁ ଜଣାଇବାରୁ ସେମାନେ ନଦୀରେ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ପରେ ବୈପାରିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ବହୁତ ଚେଷ୍ଟା କରିବା ପରେ ମଧ୍ୟ ବେତୃର ସନ୍ଧାନ ପାଇ ପାରିନଥିଲେ। ସେଦିନ ସନ୍ଧ୍ୟା ହୋଇଯିବାରୁ ପୁଣିଥରେ ତାପର ଦିନ ଖୋଜାଖୋଜି କରିବା ପରେ ମଧ୍ୟ ବିଫଳ ହୋଇଥିଲେ। ଗତକାଲି ପ୍ରବଳ ବର୍ଷା ଯୋଗୁଁ ପାଣିର ପ୍ରଖର ସୁଅରେ ବେତୃଙ୍କ ମୃତଦେହ ଭାସି ଦୁଇ କିଲୋମିଟର ଦୂର ଚାମେଲିକୁଣ୍ଡ ଗ୍ରାମ ନିକଟ ନଦୀ କୂଳରେ ଲାଗିଥିବା ଲୋକେ ଦେଖିଥିଲେ। ଗାଁ ଲୋକେ ତୁରନ୍ତ ବୈପାରିଗୁଡ଼ା ପୁଲିସ, ତହସିଲଦାର ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଆଜି ସକାଳେ ୯ଟା ବେଳେ ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା, ବୈପାରିଗୁଡ଼ା ଅଗ୍ନିଶମ ବାହିନୀର ହାବିଲଦାର ଉମେଶ ଚନ୍ଦ୍ର ବାଗ୍, ଗାଡ଼ି ଚାଲକ ବୃଷଭ ସାହୁ, ଆଗ୍ନିକ ଏସ୍.ଡି. ଶବର,ଏସ୍. ନାୟକ ଏବଂ ଠାକୁର ଚାଲାଣ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିଲା। ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ଅଧିରାଜ ସାହୁଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର