ନସକରିଆ ପାହାଡରୁ ବୃୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ସୁଣ୍ଢଳ ଗ୍ରାମ ନିକଟ ଏକ ପାହାଡରୁ ରବିବାର ଜଣେ ବୃୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ସୁଣ୍ଢଳ ଗ୍ରାମର ପ୍ରତାପ ମୁଣ୍ଡା (୬୦) ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ମାନସିକ ବିକୃତ ଅବସ୍ଥାରେ ଏଣେତେଣେ ବୁଲୁଥିଲେ । ତେବେ ସେ ଗତ ବୁଧବାରଠାରୁ ନିଖୋଜ ଥିଲେ । ତେବେ ଆଜି ଦ୍ୱିପ୍ରହର ସମୟରେ ସେହି ଗ୍ରାମର ପ୍ରତାପଙ୍କ ଦେଢଶାଶୁ ଗ୍ରାମବାସୀଙ୍କ ସହିତ ଗ୍ରାମ ପାର୍ଶ୍ୱରେ ଥିବା ନସକରିଆ ପାହାଡକୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ପ୍ରତାପଙ୍କ ଶବ ଏକ କାଠକୁସମ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଆନ ମୁଣ୍ଡାଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦେଇଥିଲେ ।

ବୃଦ୍ଧ ଜଣକ ଘରୁ ବାହାରିବା ସମୟରେ ଏକ ମଶାରୀ ଧରିଥିଲେ ଏବଂ ସେହି ମଶାରୀ ସାହାର୍ଯ୍ୟରେ ଆତ୍ମହତ୍ୟା କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ମୃତଦେହକୁ ଜବତ କରି ଉଦ୍ଧାର କରିଥିଲା ଏବଂ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା । ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ପୋଲିସଠାରୁ ସୂଚନା ମିଳିଛି । ଥାନାର ଏଏସଆଇ ପ୍ରବୀଣ କୁମାର ଆଚାର୍ଯ୍ୟ ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଏନେଇ ଗୋରୁମହିଷାଣୀ ଥାନାରେ କେସ୍‌ ନଂ ୧୪/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର