ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଦିନକୁ ଦିନ ଯୌତୁକ ଜନିତ ନିର୍ଯ୍ୟାତନା ବଢିବାରେ ଲାଗିଛି। ଗତ ୭ ତାରିଖରେ ପାଟଣାଗଡ଼ ଥାନାରେ ଯୌତୁକ ଜନିତ ନିର୍ଯ୍ୟାତନା ଅଭିଯୋଗ ହୋଇଥିବା ବେଳେ ଏହି ଉପଖଣ୍ଡ ବେଲପଡା ଥାନାରେ ରାଡବାହାଲ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ନେଇ ଅଭିଯୋଗ ହୋଇଥିବା ଜଣାପଡିଛି ।

ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହଲଦିପାଲି ଗ୍ରାମର ଶଙ୍କର ବାଗଙ୍କ ଝିଅ ରଶ୍ମିତା ବାଗଙ୍କ ବେଲପଡା ଥାନ ଅନ୍ତର୍ଗତ ରାଡବାହାଲ ଗ୍ରାମର ରାମକୃଷ୍ଣ କୁମ୍ଭାର ସହ ୨୦୧୮ ମସିହା ଫେବ୍ରୁଆରି ମାସ ୧୮ ତାରିଖରେ ବିବାହ ହୋଇଥିଲା । ତେବେ ପୂର୍ବରୁ ଶ୍ୱଶୁର ଘର ଲୋକେ ଗୋଟିଏ ଚାରି ଚକିଆ ଗାଡି ସହିତ ଏକ ସୁନା ଚେନ ଦାବି କରି ଆସୁଥିଲେ । ଏହାକୁ ନେଇ ମାଁ ଘର ଲୋକଙ୍କୁ ରଶ୍ମିତା ବାଗ କହିଥିଲାା

ତେବେ ଏ ସମ୍ପର୍କରେ ବାପ ଘର ଲୋକେ ରଶ୍ମିତାକୁ ବୁଝାସୁଝା କରିଥିଲେ । ହେଲେ ଶୁକ୍ରବାର ୯ ତାରିଖ ରାତି ପ୍ରାୟ ସାଢେ ୭ ଟା ରୁ ୮ ଟା ମଧ୍ୟରେ ରଶ୍ମିତାକୁ ରାମକୃଷ୍ଣ କୁମ୍ଭାର, ଧର୍ନୁଧର କୁମ୍ଭାର, ତ୍ରିନାଥ କୁମ୍ଭାର ଓ ତପସ୍ୱିନୀ କୁମ୍ଭାର ତଣ୍ଟି ଚିପିବା ସହିତ ପିଟି ପିଟି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହା ସହିତ ଏହା ପୂର୍ବରୁ ରଶ୍ମିତାକୁ ଚାରି ଚକିଆ ଗାଡି ଓ ସୁନା ଚେନ ପାଇଁ ବହୁବାର ମାଡ ମାରିଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ଫୋନ ଯୋଗେ ଝିଅ ରଶ୍ମିତା ମରି ଯାଇଥିବା ଖବର ପାଇ ଶଙ୍କର ଓ ପରିବାର ଲୋକେ ରାଡବାହାଲକୁ ଯାଇଥିଲେ । ରଶ୍ମିତାର ମୃତ ଦେହକୁ ପାଟଣାଗଡ଼ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହାକୁ ନେଇ ପୁଲିସ ଏକ ମାମାଲା ରଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଏଠାରେ ପ୍ରକାଶ ଥାଉ କି, ଗତ ୫ ତାରିଖ ରାତି ୧୦ଟାରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପାଢେଲ ଗ୍ରାମର ସୁରେଶ ବନଛୋର ଓ ସୁରେଶର ମାଁ ଚିନା ବନଛୋର ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ସୁରେଶର ସ୍ତ୍ରୀ ବବିତା ଓ ୩ ବର୍ଷର ଝିଅ ଅନୁ ଉପରେ କିରାସିନି ଢାଳି ଦେଇ ଜାଳି ଦେଇଥିଲେ । ଏଥିରେ ୩ ବର୍ଷର ଝିଅ ଅନୁର ମୃତ୍ୟୁ ହୋଇଥିବା ବେଳେ ବବିତାକୁ ପାଟଣାଗଡ଼, ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଏବଂ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା ।

ସମ୍ବନ୍ଧିତ ଖବର