ନିଖୋଜ ଯୁବକର ଗଳିତ ମୃତଦେହ ୩ ଦିନ ପରେ ବୁଢ଼ାବଳଙ୍ଗ ନଦୀରୁ ଉଦ୍ଧାର

ବାଙ୍ଗିରିପୋଷି: ନିଖୋଜ ଯୁବକଙ୍କର ଗଳିତ ମୃତଦେହ ୩ ଦିନ ପରେ ବୁଢ଼ାବଳଙ୍ଗ ନଦୀରୁ ମଙ୍ଗଳବାର ଉଦ୍ଧାର ହୋଇଛି। ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା କଳାବାଡିଆ ପଂଚାୟତ ବ୍ରାହ୍ମଣଗାଁର ସୁରେନ୍ଦ୍ର ନାଏକଙ୍କ ପୁଅ ହରେନ୍ଦ୍ର ନାଥ ନାଏକ (୨୯) ଗତ ଶନିବାର ଠାରୁ ନିଖୋଜ ଥିଲେ। ହରେନ୍ଦ୍ର ଶନିବାର ରାତିରେ ଗ୍ରାମର ପିଣ୍ଟୁ ଦେହୁରୀ ଓ ମଙ୍ଗୁଳୁ ଦେହୁରୀ ସହିତ ବୁଢ଼ାବଳଙ୍ଗ ନଦୀ ପାର ହୋଇ ଏକ ଗ୍ରାମକୁ ଯାଇ ଫେରି ନଥିବାରୁ ବାଙ୍ଗିରିପୋଷି ଥାନାରେ ବାପା ଅଭିଯୋଗ କରିଥିଲେ।

ବାଙ୍ଗିରିପୋଷି ପୁଲିସ ଏନେଇ ଏକ ନିଖୋଜ ମାମଲା ରୁଜୁ କରିଥିଲା। ତେବେ ନିଖୋଜର ୩ ଦିନ ପରେ କୁଲିଅଲା ଥାନା ଭିତିରିବାଦୀ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହେବାରୁ ଘଟଣା ଭିନ୍ନ ମୋଡ଼ ନେଇଛି। ହରେନ୍ଦ୍ର ନଦୀରେ ଭାସିଯାଇଥିବା କଥା ସାଙ୍ଗରେ ଯାଇଥିବା ଦୁଇ ସାଙ୍ଗ ପୂର୍ବରୁ କହି ନ ଥିବାରୁ ସନ୍ଦେହ ଘେରରେ ଆସିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି। ଏନେଇ କୁଲିଅଣା ଥାନାରେ ଏକ ମାମଲା ରୁଜୁ ହେବା ସହିତ ପୁଲିସ ଅଧିକ ତଦନ୍ତ କରୁଛି। କଳାବାଡିଆ ସରପଞ୍ଚ ସୁମନ୍ତ ନାଏକ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଗରିବ ପରିବାର ହୋଇଥିବାରୁ ଅତିଶୀଘ୍ର ତହସିଲ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର