କେନ୍ଦ୍ରାପଡ଼ା: ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଗାଁ ନିକଟରେ ପାଇକା ନଦୀବନ୍ଧ କଡ଼ରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶୁକ୍ରବାର ରାତି ହତ୍ୟା କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଶନିବାର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରୁ ପୁଲିସ ଏକ ଆଶାବାଡ଼ି ମଧ୍ୟ ଜବତ କରିଛି।
ସୂଚନା ଅନୁସାରେ ଶନିବାର ରାତି ପାଇକା ନଦୀବନ୍ଧ କଡ଼ରେ ୪ ଜଣ ଯୁବକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିବା ପରେ ହତ୍ୟା କରିଥିଲେ। ଅନ୍ଧାର ରାତିରେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ପାଟିତୁଣ୍ଡ ଶୁଣିବା ପରେ ନଦୀବନ୍ଧ ଠାରୁ ଅଳ୍ପ ଦୂରରେ ଥିବା ଗାଁ ଲୋକେ ଘଟଣାସ୍ଥଳକୁ ପହଂଚିଥିଲେ। ଏହା ପରେ ୪ ଜଣ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ୨ଟି ବାଇକ୍ରେ ଫେରାର ହୋଇଯାଇଥିଲେ। ଗାଁ ଲୋକେ ରାତିରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆଜି ସକାଳୁ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି।