ଜଙ୍ଗଲରୁ ଯୁବକଙ୍କ ଶବ ଉଦ୍ଧାର; ଦେଶୀ ବନ୍ଧୁକ ଜବତ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଜୟପାଟଣା/ କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼ପୂଝରୀଗୁଡ଼ା ପଞ୍ଚାୟତ କୁଳିଆମୁଣ୍ଡା ଗ୍ରାମ ନିକଟ ଏକ ଜଙ୍ଗଲରୁ ବୁଧବାର ସବିଗୁଡ଼ା ଗ୍ରାମର ସୁରେନ୍ଦ୍ର ରାଉତ (୨୬)ଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ନିକଟରେ ପଡ଼ିଥିବା ଏକ ଦେଶୀ ବନ୍ଧୁକକୁ ବି ପୁଲିସ ଜବତ କରିଛି। ସୁରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ, ସବିଗୁଡ଼ା ଗ୍ରାମର ସୁରେନ୍ଦ୍ର ମଙ୍ଗଳବାର ଦିନ ୧୦ଟା ବେଳେ ନିକଟ ଗାଁକୁ ଯାଉଛି କହି ଘରୁ ବାହାରିଥିଲେ। ମାତ୍ର ସଂଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କ ବାପା ଯୁଗେ ରାଉତ କିଛି ଲୋକଙ୍କୁ ନେଇ ଖୋଜାଖୋଜି କରିଥିଲେ। ମାତ୍ର ନିରାଶ ହୋଇ ଫେରିଥିଲେ। ବୁଧବାର ଜଙ୍ଗଲରେ ସୁରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ତାଙ୍କ ପରିବାର ଓ ଜୟପାଟଣା ଥାନାକୁ ଖବର ଦେଇଥିଲେ। ସୁରେନ୍ଦ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ସୁରେନ୍ଦ୍ର ଗତକାଲି ଅନ୍ୟ ୪ ଜଣ ଯୁବକ ମହେତ ପୂଝାରୀ, ଯୁବରାଜ ପୂଝାରୀ, ଶିଶିର ରାଉତ ଓ ସୁପାଡ଼ ଗ୍ରାମର ଭୁର୍ଲିଙ୍କ ସହ ଶିକାର କିମ୍ବା ଭୋଜି ପାଇଁ ଜଙ୍ଗଲକୁ ଯାଇଥିବା କୁହାଯାଉଛି।

ସେଠାରେ କୌଣସି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଜଙ୍ଗଲରେ ବ୍ୟାପକ ଦେଶୀ ମଦ ତିଆରି ହେଉଥିବା ବି ସାଧାରଣରେ ଚର୍ଚ୍ଚା ହେଉଛି। ଧର୍ମଗଡ଼ ଏସ୍‌ଡିପିଓ ନାରାୟଣ ନାୟକ, ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ସେଠାରେ ପଡ଼ିଥିବା ଦେଶୀ ବନ୍ଧୁକକୁ ଜବତ କରି ପୁଲିସ ତନାଘନା ଚଳାଇଛି। ସନ୍ଦେହରେ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର