ସନ୍ଦେହଜନକ ଅବସ୍ଥାରେ ପଡିରହିଛି ମୃତଦେହ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଝୀଣ୍ଟି ଅଚ୍ୟୁତପୁର ଠାରେ ଏକ ଅପରିତ୍ୟକ୍ତ ଘରେ ସନ୍ଦେହ ଜନକ ଅବସ୍ଥାରେ ପଡି ରହିଛି ମୃତଦେହ। ଝୀଣ୍ଟି ଜଇନା ବାଦ ଗ୍ରାମର ବାସୁଦେବ ବେହେରାଙ୍କ ପୁଅ ପୁର୍ଣଚନ୍ଦ୍ର (୪୮)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ଯାଇଛି।

ସୂଚନା ଅନୁସାରେ ପୂର୍ଣ୍ଣଚନ୍ଦ୍ର କିଛି ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ବାହାରେ ରୁହନ୍ତି। ସେ ବାଲିଅନ୍ତା ଥାନା କାକରଦ୍ରପୁର ଗ୍ରାମରେ ବିବାହ କରି ଘର ଜୋଇଁଆ ହୋଇ ରହୁଥିଲେ। ତାଙ୍କର ଏକ ମାତ୍ର ଝିଅର ବିବାହ ସରିଛି। ଶଶୁର ଘରେ ଝଗଡା କରି ଦୀର୍ଘ ଦିନ ହେବ ପୁର୍ଣ ନିଜ ଗାଁକୁ ଚାଲିଯାଇଥିଲେ। ଘରେ ମଧ୍ୟ ଅନେକ ସମୟରେ ପରିବାର ଲୋକଙ୍କ ସହ ଝଗଡା ଓ ମାରପିଟ କରନ୍ତି। ସ୍ଥାନୀୟ ଅଚ୍ୟୁତପୁର ଠାରେ ଥିବା ଏକ ଅପରିତ୍ୟକ୍ତ ଘରେ ଆଶ୍ରୟ ନିଅନ୍ତି। ଆଜି ସକାଳୁ ଦୁର୍ଗନ୍ଧ ହେବାରୁ ଲୋକେ ମୃତଦେହ ପଡ଼ିଥିବା ଦେଖିଥିଲେ। ଉକ୍ତ ଘରେ ରଖାଯାଇଥିବା ପୂଜା ମେଢ଼ ଭିତରେ ମୃତଦେହଟି ପଡିଥିଲା। ଘର ଲୋକ ସୂଚନା ପାଇ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତଦେହଟି ୩/୪ ଦିନ ତଳୁ ପଡିଥିବା ଜଣାପଡୁଛି। ସେଥିରୁ ପ୍ରଚୁର ଦୁର୍ଗନ୍ଧ ବାହାରୁଛି। ଶରୀର ଫୁଲି ଯାଇଛି। ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି। ବାଲିପାଟଣା ପୁଲିସ ଶବ ବ୍ୟବଛେଦ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର