ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର‌ଲୋକ, କିଛିଦିନ ପୂର୍ବରୁ ଜେଲ୍‌ରୁ ମୁକୁଳିଥିଲେ

ବାରିପଦା/କୁଳିଅଣା: ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ରଘୁନାଥଗଞ୍ଜ ନଦୀ କୁଳରେ ଥିବା ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ଜଗନ୍ନାଥ ପଲେଇଙ୍କ ପୁଅ ଆନନ୍ଦ ପଲେଇ(୩୨) ବୋଲି ଜଣାପଡ଼ିଛି। ପେଷାରେ ଜଣେ ମୋଟର ସାଇକେଲ୍‌ ମିସ୍ତ୍ରୀ ଥିବା ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାରଲୋକ। ସୂଚନା ଅନୁସାରେ ଗତ କାଲି ରାତିରେ ସେହି ଗ୍ରାମର କିଛି ଯୁବକଙ୍କ ସହିତ ନଦୀ ପଠାରେ ଥିବା କଦଳୀ ବାଡ଼ିରେ ଭୋଜି କରିଥିଲେ ମୃତକ ଯୁବକ। ସେଠାରେ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ। ଅନ୍ୟପଟେ ମୃତକଙ୍କର ଦୁଇଟି ପତ୍ନୀ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ସହିତ ପାରିବାରିକ କହଳ ଯୋଗୁଁ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କିଛି ଦିନ ପୂର୍ବରୁ ସେ ଜେଲରୁ ମୁକୁଳିଥିଲେ। ସକାଳୁ ସ୍ଥାନୀୟ ଲୋକେ ଯୁବକଙ୍କ ଝୁଲନ୍ତା ଶବ ଦେଖି ବାରିପଦା ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଟାଉନ ଥାନା ଓ କୁଳିଅଣା ପୁଲିସ ସାଇଣ୍ଟିଫିକ୍‌ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ କୁଳିଅଣା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର