ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆବରଙ୍ଗାମାଳ ପଞ୍ଚାୟତ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ଯୁବକଙ୍କ ମୃତ‌ଦେହ ତାଙ୍କ ପ୍ରେମିକାଙ୍କ ଘର ପଛପଟୁ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକ ଏ ନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ସନ୍ଦେହରେ ପ୍ରେମିକା, ତାଙ୍କ ମା’ ଓ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବକ ହେଲେ ଯୁଯୁମୁରା ଥାନା କୁଲଶର ଗାଁର ବିପିନ ସାହୁଙ୍କ ପୁଅ ଅଶୋକ ସାହୁ (୨୬)। ଅନ୍ୟପକ୍ଷରେ ଯୁବତୀଙ୍କ ବିବାହ ଠିକ୍‌ ହୋଇଥିବା ବେଳେ ଆସନ୍ତା ରବିବାର ବାହାଘର ହୋଇଥା’ନ୍ତା ବୋଲି ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପୁଲିସ ସୂଚନା ଅନୁଯାୟୀ କୁଲଶର ଗାଁର ଅଶୋକଙ୍କ ସହିତ ସଂପୃକ୍ତ ଯୁବତୀଙ୍କ ସହିତ ୫ରୁ ୬ ବର୍ଷ ହେବ ପ୍ରେମ ସଂପର୍କ ରହିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରୁଥିଲେ। ଯୁବତୀଙ୍କ ସହିତ କୌଣସି ସଂପର୍କ ନ ରଖିବାକୁ ତାଙ୍କ ପରିବାର ଲୋକ ବୁଝାଇଥିଲେ। ହେଲେ ଅଶୋକ ଏହାକୁ ମାନୁ ନଥିଲେ। ବିଭିନ୍ନ ସମୟରେ ସୁଯୋଗ ଦେଖି ଯୁବତୀଙ୍କୁ ଦେଖା କରିବାକୁ ତାଙ୍କ ଗାଁକୁ ଯାଉଥିଲେ। ଯାହାକୁ ଯୁବତୀଙ୍କ ପରିବାର ଲୋକ ଗ୍ରହଣ କରୁ ନଥିଲେ। ଏହାକୁ ନେଇ ଉଭୟ ଯୁବତୀଙ୍କ ପରିବାର ଲୋକ ଓ ଅଶୋକଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏ ନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ପୁଲିସ ଅଶୋକ ଓ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ବୁଝାସୁଝା କରିବା ସହିତ ଯୁବତୀଙ୍କଠାରୁ ଦୂରେଇ ଯିବାକୁ କହିଥିଲା। ହେଲେ ଅଶୋକ ଏହାକୁ ମାନୁ ନଥିଲେ। ଏହା ମଧ୍ୟରେ ଯୁବତୀଙ୍କ ବିବାହ ଠିକ୍‌ ହୋଇଥିଲା।

ଆସନ୍ତା ୧୯ ତାରିଖରେ ତାଙ୍କର ବିବାହ ହୋଇଥା’ନ୍ତା। ଏହି ଖବର ପାଇବା ପରେ ଅଶୋକ ଓ ଯୁବତୀଙ୍କ ପରିବାର ଲୋକଙ୍କ ମଧ୍ୟରେ ତିକ୍ତିତା ବଢ଼ି ଯାଇଥିଲା। ଅଶୋକଙ୍କ ବଡ଼ଭାଇ ସରୋଜଙ୍କ କହିବା ଅନୁଯାୟୀ ବୁଧବାର ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ୍‌ କରିଥିଲେ। ଫୋନ୍‌ ପାଇ ଅଶୋକ ତାଙ୍କର ଦୁଇ ସାଙ୍ଗଙ୍କୁ ଡାକି ଯୁବତୀଙ୍କ ଘର ନିକଟରେ ଛାଡ଼ି ଦେବାକୁ କହିଥିଲେ। ସାଙ୍ଗ ଦ୍ବୟ ତାଙ୍କୁ ନେଇ ଯୁବତୀଙ୍କ ଘର ନିକଟରେ ଛାଡ଼ି ପଳାଇଥିଲେ। ଗୁରୁବାର ଅପରାହ୍‌ଣ ୪ଟାରେ ଅଶୋକଙ୍କ ଶବ ଯୁବତୀଙ୍କ ଘର ପଛପଟେ ଥିବା ଏକ ଜଙ୍ଗଲିଆ ସ୍ଥାନରୁ ମିଳିଥିଲା। ଖବରପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେର, ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ ପ୍ରମୁଖ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ମୃତଦେହରେ କୌଣସି ଆଘାତ ଚିହ୍ନ ଦେଖାଯାଇ ନଥିବା ବେଳେ ନାକ ଓ କାନରୁ ରକ୍ତ ବାହାରିଥିବା ଦେଖାଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ସନ୍ଦେହରେ ଯୁବତୀ, ତାଙ୍କ ମା’ ଓ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।