ଇବ୍‌ଥର୍ମାଲ: ବନହରପାଲି ଥାନା ତେଲେନପାଲି ପଞ୍ଚାୟତ ଛଡାରମା ଗ୍ରାମ ନିକଟସ୍ଥ ହୀରାକୁଦ ଜଳଭଣ୍ଡାରରୁ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଝାରସୁଗୁଡା ତଳିଭଟ୍ଟାର ବାବର ହୁସେନ (୨୧) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ୨୨ ତାରିଖ ଦିନ ବାବର ଛଡାରମା ଗ୍ରାମର ଭାସ୍କର ତାଣ୍ଡିଆ ଘରକୁ ଆସିଥିଲେ। ସୋମବାର ମଧ୍ୟାହ୍ନ ୧ଟା ୩୦ ବେଳକୁ ଭାସ୍କରଙ୍କ ନାତି  ସାହିଲ(୧୦)ଙ୍କ ସହିତ ବାଇକ୍‌ ଯୋଗେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ସାହିଲ ବାଇକ୍‌ ପାଖରେ ଥିଲେ ଓ ବାବର ପାଣି ଭିତରକୁ ପଶିଥିଲେ। ଗାଧୋଇବା ପାଇଁ ଯାଇ ଆଉ ବାହାରି ନଥିଲେ।

Advertisment

ଅନେକ ସମୟ ପର୍ଯ୍ୟନ୍ତ ସାହିଲ ଅପେକ୍ଷାକରି ଘରକୁ ଫେରି ଆସି ଘରଲୋକଙ୍କୁ ସବୁକଥା କହିଥିଲେ। ସୋମବାର ଭାସ୍କର ବନହରପାଲି ଥାନାରେ ଏ ସଂକ୍ରାନ୍ତରେ ଏକ ନିଖୋଜ ରିପୋର୍ଟ ଦେବା ପରେ ବନହରପାଲି ଆଇଆଇସି ରଶ୍ମିତା ବେହେରା ସଦଳବଳେ ଘଟଣାସ୍ଥଳକୁ ଯାଇ ଖୋଜିଥିଲେ ବି ପାଇ ନଥିଲେ। ଆଜି ଝାରସୁଗୁଡା ଓଡ୍ରାଫ୍ ଦଳ, ଲଖନପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ବାବରଙ୍କ ମୃତଦେହ ଜଳଭଣ୍ଡାର ଭିତରୁ ଉଦ୍ଧାର କରିଥିଲେ। ବନହରପାଲି ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।