ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭଦ୍ରକ: ପାରିବାରିକ କଳହକୁ ନେଇ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଜଣେ ଯୁବକ ପଦ୍ମନ ମଲ୍ଲିକ (୩୬) ନିଜ ଘରେ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ପଦ୍ମନଙ୍କ ପରିବାରର ଲୋକେ ଆଜି ସକାଳୁ ନିଜ ନିଜ କାମରେ ବାହାରକୁ ଯାଇଥିଲେ। ସେମାନେ ମଧ୍ୟାହ୍ନରେ ଘରକୁ ଫେରିଥିଲେ। ପଦ୍ମନଙ୍କ ସ୍ତ୍ରୀ ନିଜ କାମରେ ବ୍ୟସ୍ତ ଥିଲେ। ପଦ୍ମନଙ୍କ ଶୋଇବା ଘର ଦୀର୍ଘ ସମୟ ପର୍ଯ୍ୟନ୍ତ ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ବହୁ ସମୟ ପର୍ଯ୍ୟନ୍ତ ଏହା ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଥିବା ଘର କବାଟ ଖୋଲି ଦେଖିଲା ବେଳକୁ ମୃତଦେହ ଝୁଲୁଥିଲା।
ତେବେ ପରିବାର ଲୋକଙ୍କ କହିବା ସହିତ ପଦ୍ମନ ଘର ଲୋକଙ୍କ ସହିତ ବାରମ୍ବାର ଝଗଡ଼ା କରୁଥିଲେ। ବାପା-ମା’ ଓ ପତ୍ନୀଙ୍କ ସହିତ ଭଲ ପଡୁନଥିଲା। ସେ କିଛି ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଝିଅ ଅଛି। କିନ୍ତୁ କିଛି ଦିନ ହେବ ପଦ୍ମନ ମାନସିକ ଚିନ୍ତାରେ ରହୁଥିଲେ। ତେଣୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ କହିଛି। ଅନ୍ୟପଟରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।