ମହାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କୁଦ ତବଡ଼ା ଘାଟ ନିକଟରୁ ଗୁରୁବାର ଅପରାହ୍ଣରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣଙ୍କ ବୁର୍ଲା ଥାନା କରଡୋଲା ଗ୍ରାମର ପଦ୍ମଲୋଚନ ନାୟକ(୪୫) ବୋଲି ଜଣାପଡ଼ିଛି। ଏସମ୍ପର୍କରେ ଚିପିଲିମା ଫାଣ୍ଡି ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ କରାଇବା ପାଇଁ ପଠାଇଛି। ତେବେ ପଦ୍ମଲୋଚନ ଗତ ୧୨ ତାରିଖରୁ ନିଖୋଜ ରହିଥିବା ସମୟରେ ଏନେଇ ତାଙ୍କ ପରିବାର ଲୋକେ ୧୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ ‌ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତ ୧୨ ତାରିଖରେ କରଡୋଲା ଗ୍ରାମର ପଦ୍ମଲୋଚନ ନାୟକ ଘରୁ ଗାଧୋଇବାକୁ ବାହାରି ଆଉ ଫେରିନଥିଲେ। ସାଧାରଣତଃ ସେ ଘରୁ ବାହାରୁ ଦିନେ ଦୁଇଦିନ ପରେ ଘରକୁ ଫେରୁଥିବାରୁ ପରିବାର ଲୋକେ ଏହାକୁ ଗୁରୁତର ସହ ନେଇନଥିଲେ। ଏହାବାଦ୍‌ ତାଙ୍କ ମା’ ଓ ଭଉଣୀ ସମ୍ବଲପୁରରେ ରହୁଥିବା ସମୟରେ ସ୍ତ୍ରୀ,ପୁଅ, ଝିଅ ଅଲଗା ହୋଇ ଚିପିଲିମାରେ ରହୁଛନ୍ତି।

ତେବେ ୧୫ ତାରିଖ ଯାଏ ପଦ୍ମଲୋଚନଙ୍କ ପତ୍ତା ନମିଳିବାରୁ ପରିବାର ଲୋକେ ଏନେଇ ୧୫ ତାରିଖରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ୧୬ ତାରିଖରେ କୁଦ ତବଡ଼ାର ଜଣେ ମତ୍ସ୍ୟଜୀବୀ ପାଣିରେ ଏକ ଶବ ଦେଖିଥିଲେ। କିନ୍ତୁ ଏନେଇ ସେ କାହାକୁ କିଛି କହିନଥିଲେ। ଗୁରୁବାର ପୁଣିଥରେ ଆଉ ଜଣେ ମତ୍ସ୍ୟଜୀବୀ ପାଣି ଭିତରେ ମୃତଦେହ ଭାସୁଥିବା ଦେଖିବା ପରେ ଏନେଇ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ପୁଲିସ୍‌, ମତ୍ସ୍ୟଜୀବୀ ଓ ଅଗ୍ନିଶମ ବିଭାଗର ମିଳିତ ସହାୟତାରେ ଗୁରୁବାର ଅପରାହ୍ଣରେ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର