୫୭ନଂ ଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ଶୁକ୍ରବାର ଭୋର ସକାଳୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ୟାଣ୍ଟ୍‌ ଓ ସ୍ୱେଟର୍‌ ପିନ୍ଧିଥିବା ଯୁବକର ଅନ୍ତଃ ବୁଜୁଳା ବାହାରି ପଡିଥିବା ବେଳେ ମୁହଁ କ୍ଷତବିକ୍ଷତ ହୋଇ ପଡିଥିଲା। ମାତ୍ର ମୃତଦେହ ପଡି ରାସ୍ତା ଉପରେ ଦୁର୍ଘଟଣା ଅନୁଯାଇ କୌଣସି ରକ୍ତଛିଟା ପଡିନଥିବାରୁ କାଳେ କେହି ତାଙ୍କୁ ହତ୍ୟାକରି ମୃତଦେହକୁ ଆଣି ଏଠାରେ ପକାଇ ଦେଇଥାଇପରେ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିଲା। ମୃତକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବାଦିକଟା ଗ୍ରାମର ଅର୍ଜୁନ ପାତ୍ର(୩୫) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ଭାଇ ଏନେଇ ପୁରୁଣାକଟକ ଥାନାରେ ଲିଖିତ ଏତେଲା ଦେଇଥିବା ଜଣାଯାଇଛି।

ରିପୋର୍ଟ ଅନୁଯାଇ ମୃତ ଅର୍ଜୁନ ଫୁଲବାଣୀ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଥିବା ଏକ ୱେଲଡିଙ୍ଗ ଦୋକାନରେ କାମ କରୁଥିଲେ। ସେ ଦଶହରା ପାଇଁ ଛୁଟିରେ ଆସି ଗତକାଲି ଅପରାହ୍ନରେ ଘରୁ କର୍ମସ୍ଥଳକୁ ଯାଉଛି କହି ଆସିଥିଲେ। ତେବେ ଯଦି ସେ ଗତକାଲି ଠାରୁ ଘରୁ କର୍ମସ୍ଥଳକୁ ବାହାରିଥିଲେ, ତାହେଲେ ଘରଠାରୁ ମାତ୍ର ୧୫କିମି ଦୂରରେ ତାଙ୍କର ମୃତଦେହ ଏଭଳି ଅବସ୍ଥାରେ କିପରି ପଡିଥିଲା ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି।

ତେବେ ସେ ଯାହା ହେଉନା କାହିଁକି ଏହା ଦୁର୍ଘଟଣା ନା ହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ କହିଛନ୍ତି। ଶବ ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ଚାର୍ଜର ମଧ୍ୟ ପୁଲିସ ପାଇଛି।

ସମ୍ବନ୍ଧିତ ଖବର