ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତି ଯୋଗୁଁ ହତ୍ୟା ସନ୍ଦେହ

ରାଇରଙ୍ଗପୁର/ବାସିଙ୍ଗୀ: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି କୁହାଯାଉଛି। ମୃତକ‌ ହେଲେ ରାଜେନ୍ଦ୍ର ତାମୁଡିଆ(୨୫)।

ଅଭିଯୋଗ ଅନୁଯାୟୀ ବହଳଦା ଥାନା ବାସିଙ୍ଗୀ ଗ୍ରାମର କଦମଡିହାସାହିର ଏକ ନିଛାଟିଆ ସ୍ଥାନରେ ଥିବା ପର୍ଶୁରାମ ସର୍ଦ୍ଦାରଙ୍କ ତାଲାବନ୍ଦ ଘର ସମ୍ମୁଖରେ ଏକ ଯୁବକର କ୍ଷତବିକ୍ଷତ ମୃତଦେହକୁ ପଡିଥିବାର ପୁଲିସ ଖବର ପାଇବା ପରେ ଶବକୁ ଜବତ କରିଥିଲା। ସୂଚନାଯୋଗ୍ୟ ଯେ ବାସିଙ୍ଗି ନିକଟସ୍ଥ କଦମଡିହା ରୁଗୁଳି ସାହିର ରବୀନ୍ଦ୍ର ତାମୁଡିଆ ଦିର୍ଘ ୪ବର୍ଷ ହେଲା ଘର ଦ୍ଵାର ଛାଡି ଗୋରୁମହିଷାଣୀରେ ସପରିବାର କାମଧନ୍ଦା ପାଇଁ ରହୁଛନ୍ତି। ତାଙ୍କର ବଡ଼ପୁଅଙ୍କର ୪ ବର୍ଷ ତଳେ କଦମଡିହା ଗ୍ରାମରେ ମୃତ୍ୟୁ ହୋଇଥିଲା। ଗୋରୁମହିଷାଣୀ ଲୁହାଖଣିରେ ତାଙ୍କ ସାନ ପୁଅ ରାଜେନ୍ଦ୍ର ତାମୁଡିଆ ପାଣି ଟ୍ୟାଙ୍କରେ ଚାଳକ ଭାବେ କାର୍ଯ୍ୟ କରନ୍ତି।

ରାଜେନ୍ଦ୍ର ତାମୁଡିଆ ଗତକାଲି ରାତିରେ ଗୋରୁମହିଷାଣୀରୁ ନିଜ ଗାଁ ବାସିଙ୍ଗୀର କଦମଡିହା ଗ୍ରାମକୁ ଆସିଥିଲେ। ବୁଧବାର ସକାଳୁ ଗାଁ ଲୋକେ ଯୁବକଙ୍କ ମୃତଦେହକୁ ଦେଖି ବହଳଦା ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ଛାନଭିନ କରିଥିଲେ। ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି। ମୃତକଙ୍କ ପତ୍ନୀ ଉର୍ମିଳା ତାମୁଡିଆ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜେନ୍ଦ୍ର ଦୁଇ ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ଏକ ଛୋଟ ପୁଅ ଅଛି। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ରାଜେନ୍ଦ୍ରଙ୍କ ସହିତ ସେହି ଗ୍ରାମର ଜନୈକ ବିଧବା ମହିଳାଙ୍କ ସହ ୮ବର୍ଷ ଧରି ପ୍ରେମ ସଂପର୍କ ରହିଛି। ମହିଳା ଜଣକ ମଧ୍ୟ ରାଜେନ୍ଦ୍ର ପରିବାରଙ୍କ ସହ ଫୋନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉର୍ମିଳା ଲେଖିଛନ୍ତି। ପୁଲିସ ଘଟଣାକୁ ହାଲୁକା ଭାବେ ନ ନେଇ ଘଟଣାର ସବିଶେଷ, ପାରିପାର୍ଶ୍ବିକ ଏବଂ ଅନ୍ୟାନ୍ୟ ଘଟଣାର ସବିଶେଷ ତଦନ୍ତ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ତଥ୍ୟ ଆଗକୁ ଆସିବ ଏବଂ ପୁଲିସକୁ ତଦନ୍ତ କରିବାକୁ ସହଜ ହେବ।

ସମ୍ବନ୍ଧିତ ଖବର