ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟସ୍ଥିତ ସୁବର୍ଣ୍ଣରେଖା ପୋଲ ତଳୁ (ଜଳେଶ୍ୱର ଥାନା ଅଧିନସ୍ଥ ଚାଳନ୍ତି ମୈଜାରୁ) ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଜଳେଶ୍ୱର ପୁଲିସ ଉପସ୍ଥିିତରେ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସି ତଦନ୍ତ ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ନଦୀପଠାକୁ ଯାଇଥିବା ସ୍ଥାନୀୟ ଲୋକେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ଚାଳନ୍ତି ବାଲିଖାଦାନ ପାଇଁ ନିର୍ମିତ ହୋଇଥିବା ପୂରୁଣା ଘରର ଅତି ନିକଟରେ ଦେଖିବା ସହ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ମାନସ ଦେଓ ଓ ଏସଆଇ ନଗରଦ୍ଵୀପ ସେଠୀ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏକ ଖାଲି ମଦ ବୋତଲ, ବ୍ୟବହାର ହୋଇଥିବା ୨ଟି ପ୍ଲାଷ୍ଟିକ ଗ୍ଲାସ, ଏକାଧିକ ପଲିଥିନ ଓ କିଛି କାଠ ଫାଳିଆ ପଡିଥିବାର ଦେଖିବାକୁ ମିଳିଥିଲା।
ବ୍ୟକ୍ତି ଜଣକ ଏକ ଫୁଲ ପେଣ୍ଟ ପିନ୍ଧିଥିବା ବେଳେ ଦେହରେ ଆଉ କୌଣସି ଲୁଗା ନ ଥିଲା। ସାମାନ୍ୟ ଦାଢ଼ି ମଧ୍ୟ ରହି ଥିଲା। ଦେହ ସାରା ଧୂଳି ଓ ବାଲି ଲାଗିଛଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରି ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରକୁ ଡକାଯାଇଥିଲା। ଘଟଣାସ୍ଥଳରୁ କୁକୁର ସେହି ପାଖାପାଖି ଅଞ୍ଚଳକୁ ଏଣେତେଣେ ଯିବା ସହ ରାଜପଥ ଉପରକୁ ଯାଇ ପୁଣି ଫେରି ଆସିଥିବାର କେତେକ ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଘଟଣାସ୍ଥଳରୁ ନିଆଯାଇଥିବା ଫଟୋକୁ ପୁଲିସ ଜଳେଶ୍ୱର ଥାନାର ପାଶ୍ୱବର୍ତ୍ତୀ ଇଲାକା କୁହାଯାଉଥିବା ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସମେତ ପଶ୍ଚିମବଙ୍ଗ ବିଭିନ୍ନ ଥାନାକୁ ପଠାଇଥିବା କୁହାଯାଇଛି। ଗତ କିଛି ମାସ ତଳେ ଜଳେଶ୍ୱର ପୂର୍ତ୍ତ ଡାକବଙ୍ଗଳାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ପୁଣି ସୁବର୍ଣ୍ଣରେଖା ନଦୀପଠାରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ମିଳିବା ଓ ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ ହେବା ପୁଲିସର ଚିନ୍ତା ବଢାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲସ ଏହି ଘଟଣା ସମ୍ପର୍କରେ ଯାହା କିଛି କହିପାରିବ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।