ବେତନଟା ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡ଼ପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କର ମୃତଦେହ ଆଜି ଗାଁ ପୋଖରୀରୁ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ବାବାଜୀ ମହାକୁଡ଼(୫୬)।
ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ବାବାଜୀ ମହାକୁଡ଼(୫୬) ଗତକାଲି ରାତିରେ ଖାଇସାରିବା ପରେ ପରିବାର ସହିତ ଘରେ ଶୋଇଥିଲେ। ପରେ ରାତି ପ୍ରାୟ ୧୦ଟାରେ ଏକୁଟିଆ ଉଠି ଘର ଅନତି ଦୂରରେ ଥିବା ଗାଁ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ। ଘରଲୋକେ ସବୁଆଡେ ଖୋଜାଖୋଜି କରିବା ପରେ ଗ୍ରାମର ଏଣେ ତେଣେ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ପାଇ ନ ଥିଲେ। ପରେ ପୁଣି ଆଜି ଭୋର ସକାଳ ଉଠି ବାବାଜୀଙ୍କ ସ୍ତ୍ରୀ ଗାଁରେ ଖୋଜାଖୋଜି କରି ଗ୍ରାମ ପୋଖରୀ ପାଖରେ ପହଞ୍ଚିଥିଲେ ଏବଂ ଦେଖିବାକୁ ପାଇଥିଲେ କି ତାଙ୍କ ସ୍ୱାମୀଙ୍କ ଶବ ପାଣିରେ ଭାସୁଛି।
ଗ୍ରାମବାସୀଙ୍କ ସହାୟତାରେ ବାବାଜୀର ଗଳିତ ଶବକୁ ଉଦ୍ଧାର କରାଯାଇଥିଲା। ରାତି ସାରା ପୋଖରୀ ବାବାଜୀଙ୍କ ଶବ ପଡି ରହିଥିବା ଯୋଗୁଁ ଶରୀରର ବିଭିନ୍ନ ସ୍ଥାନରେ ମାଛ ଖାଇ ଖଣ୍ଡିଆ କରି ଦେଇଥିବାର ଦେଖିବାକୁ ମିଳିଥିଲା। ପରେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଁଛି ୨୭/୨୪ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଶରୀରକୁ ନିଜ ଗ୍ରାମ ନଡପୁରକୁ ଆଣି ଅନ୍ତେଷ୍ଟି କ୍ରିୟା କରାଯାଇଥିବା ଜଣାଯାଇଛି।