ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ନିକଟ ରେଳଲାଇନ କଡ଼ରୁ ପୁଲିସ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ଘଟଣାସ୍ଥଳରୁ ପୁଲିସ ରକ୍ତଭିଜା ପଥର ଓ ମଦବୋତଲ ଜବତ କରିଥିବା ବେଳେ ହତ୍ୟା ପୂର୍ବରୁ ଯୁବତୀ ଓ ହତ୍ୟାକରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଅନୁମାନ କରାଯାଉଛି। ପ୍ରମାଣନଷ୍ଟ ପାଇଁ ବ୍ରିଜ ଉପରୁ କୌଣସି ଟ୍ରେନ୍ ଯିବା ସମୟରେ ଫୋପାଡ଼ି ଦିଆଯାଇଥିବା ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ଅପରାଧୀ ସାମିଲ ଥିବା ନେଇ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ତଦନ୍ତକାରୀ ଦଳ ଅନୁମାନ କରୁଛନ୍ତି। ଯୁବତୀଙ୍କ ଏକ କାନଫୁଲ ଓ ମଙ୍ଗଳସୂତ୍ର ମିଳିଥିବାରୁ ସେ ବିବାହିତା ବୋଲି ଜଣାପଡୁଛି।
ସୂଚନା ପ୍ରକାରେ ରମ୍ଭା ଓ ଜହମି ମଧ୍ୟରେ ଥିବା ଜାତୀୟ ରାଜପଥ (୧୬) କଡ଼ ରେଳବାଇ ଓଭରବ୍ରିଜ ତଳ ରେଳଲାଇନରେ ଯୁବତୀଙ୍କ କ୍ଷତବିକ୍ଷତ ଶବ ଗତକାଲି ରାତିରେ ପଡ଼ିଥିଲା। ପୋଲ ଉପରେ ରକ୍ତଭିଜା ପଥର, ବିଭିନ୍ନ ନାମୀ କମ୍ପାନିର ମଦବୋତଲ, ଭଙ୍ଗା ଲାଲ୍ ଚୁଡ଼ି, ମୁଣ୍ଡର କ୍ଳିପ୍, କାନଫୁଲ ପଡ଼ିଥିଲା। ଖବର ପାଇ ରମ୍ଭା ପୁଲିସ ଓ ରେଳବାଇ ପୁଲିସ ଉପସ୍ଥିତ ରହି ଘଟଣାର ଛାନଭିନ୍ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଟିକିନିଖି ତଦନ୍ତ କରିଥିବା ବେଳେ ସନ୍ଧାନୀ କୁକୁର ଜାତୀୟ ରାଜପଥର ରେଳବ୍ରିଜ୍ ଠାରୁ କିଛି ଦୂର ପର୍ଯ୍ୟନ୍ତ ଯାଇ ଅଟକି ଯିବାରୁ କୌଣସି ଗାଡ଼ିରେ ହତ୍ୟାକାରୀ ସେଠାରୁ ପଳାଇଥିବା ଜଣାପଡୁଛି। ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିଚୟ ମିଳି ନଥିବାରୁ ବାହାର କୌଣସି ସ୍ଥାନରୁ ଆଣି ଏଠାରେ ହତ୍ୟା ପରେ ଫିଙ୍ଗି ଦିଆ ଯାଇଥିବା ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା ବେଳେ, ବିଭିନ୍ନ ଥାନାର ନିଖୋଜ ରିପୋର୍ଟକୁ ସଂଗ୍ରହ କରି ତଦନ୍ତକାରୀ ଦଳ ଯାଞ୍ଚ କରୁଥିବା ଜଣାପଡ଼ିଛି।