ଘରଭିତରେ ନୃଶଂସ ଭାବେ ସ୍ତ୍ରୀ ଓ ୨ ଶିଶୁ କନ୍ୟାଙ୍କୁ ହତ୍ୟା କରିବାର ଦିନକ ପରେ ସ୍ୱାମୀର ମୃତଦେହ ଉଦ୍ଧାର 

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡ଼ାରେ ଗତକାଲି ଏକ ହୃଦୟ ବିଦାରକ ଓ ଦୁଃଖଦ ଘଟଣା ଘଟି ଥିବା ଦେଖିବାକୁ ମିଳିଥିଲା। ଘରଭିତରେ ଶୋଇଥିବା ଅବସ୍ଥାରେ ସୋନି ପୋଦାର  (୨୮)ସହିତ ଦୁଇ ଶିଶୁ କନ୍ୟା  ରାଧିକା (୫) ଓ ମୁସକାନଙ୍କ (୩) ମୃତଦେହକୁ ପୁଲିସ ଜବତ କରିଛି।  କିନ୍ତୁ  ସ୍ୱାମୀ  ନାରାୟଣ ପୋଦାର (୩୫)  ଫେରାର ଥିବା ଯୋଗୁ ଏହି  ହତ୍ୟା ଘଟଣାରେ ସେ ସମ୍ପୃକ୍ତ ଥିବା ନେଇ ସନ୍ଦେହ ହୋଇଥିଲା।

ପୁଲିସ  ପୂର୍ବରୁ ନାରାୟଣ ରହୁଥିବା ଘର ସହିତ ତାର ପଡୋଶୀ ତଥା ସମ୍ପର୍କୀୟଙ୍କ ଘରେ ମଧ୍ୟ  ଖୋଜାଖୋଜି କରି ନିରାଶ ହୋଇଥିଲା। । ଗତକାଲି ସନ୍ଧ୍ୟାରେ  ସୋନି ଓ ତାର ୨ ଝିଅଙ୍କ ମୃତଦେହକୁ ନାରାୟଣର ସମ୍ପର୍କୀୟମାନେ ସଂସ୍କାର କରି ଘରକୁ ଫେରିଥିଲେ। ସକାଳେ ଅସ୍ତି ସଂଗ୍ରହ ପରେ ନାରାୟଣ ନିଜ ଘର ସମ୍ମୁଖରେ ଥିବା କୂଅରେ ଗାଧୋଇ ଥିଲେ। ପ୍ରାୟ ୮ ଟା ସମୟରେ  ନାରାୟଣର ପୁତୁରା ବୋହୁ  କମଳା ପୋଦାର କପଡା ସଫାକରି କୂଅ ନିକଟକୁ ଧୋଇବାକୁ ଯାଇଥିଲେ।

ବାଲ୍ଟି କୂଅରେ ପକାଇବା ସମୟରେ ନାରାୟଣର ମୃତ ଶରୀର କୂଅରେ ଭାସୁଥିବା ଦେଖି ବେହୋସ ହୋଇଯାଇଥିଲା।  କମଳାର ପାଟି ଶୁଣି ସମସ୍ତେ କୂଅପାଖକୁ ଆସି ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବ୍ରଜରାଜନଗର ଆଇ ଆଇ ସି ବୈକୁଣ୍ଠ ସେଠ,ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଇଣ୍ଟିଫିକ ଟିମ ଉପସ୍ଥିତିରେ ଅଗ୍ନିଶମ ବିଭଗ କର୍ମଚାରୀମାନେ କୂଅଭିତରୁ ନାରାୟଣର ମୃତ ଶରୀରକୁ ବାହାର କରି ଉପରକୁ ଆଣିଥିଲେ। ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଯାଇଛି।

ଭଣଜା ଯାଦବ  ସୋନିର କହିବା ଅନୁସାରେ  କମଳା ପଦାର ଶବ ଭାସୁଥିବା ଦେଖି ସେହି ସମୟରେ ସଂଜ୍ଞାହୀନ ହୋଇଯାଇଥିଲା। ଗତକାଲି ମଧ୍ୟ ସେହି କୂଅ ପାଣି ସେମାନେ ବ୍ୟବହାର କରିଛନ୍ତି। ୪ମାସ ପୂର୍ବରୁ ୨ ମାମୁ  ନାରାୟଣ ଓ  କଳାକାନହୁ ମଧ୍ୟରେ ଝଗଡା ହୋଇଥିଲା। ଶେଷରେ  ମାଇଁ   ସୋନି  ବ୍ରଜରାଜନଗର ଥାନାରେ କଳାକାନହୁ ନାମରେ ଦୁଷ୍କର୍ମ ପ୍ରୟାସ ଅଭିଯୋଗ ଆଣିବା ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେହି ଘଟଣା ପରେ  ମାମୁଁ ନାରାୟଣ କୂଅ ସମ୍ମୁଖରେ ଥିବା ନିଜ ଘର ଛାଡ଼ି ଅନ୍ୟ ଜଣଙ୍କ ଭଡାଘରେ ରହୁଥିଲେ। ମାମୁଁ କଳାକାନହୁ ଜେଲରୁ ଫେରିବା ପରେ   ନାରାୟଣ ପରିବାର ସହିତ କୌଣସି ସମ୍ପର୍କ ରଖି ନଥିବା ଭଣଜା ପ୍ରକାଶ କରିଥିଲେ।

ଯଦି ନାରାୟଣ ନିଜେ ସ୍ତ୍ରୀ ସୋନି ଓ ତାର ୨ଝିଅକୁ ହତ୍ୟା କରି ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କରିଥାଏ ତେବେ କାରଣ ସେଭଳି କିଛି ଗମ୍ଭୀର ନିଶ୍ଚୟ।  ଯଦି ନାରାୟଣ ପରିବାର ହସ ଖୁସିରେ  ଥିଲେ ତେବେ ହଠାତ ଏଭଳି କେଉଁ କାରଣ ପାଇଁ ନାରାୟଣ ଏଭଳି  ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ତାହା ଅନୁସନ୍ଧନ ଯୋଗ୍ୟ।  ଏନେଇ ବ୍ରଜରାଜନଗର ଆଇ ଆଇ ସି ବୈକୁଣ୍ଠ ସେଠ କହିଛନ୍ତି,  ଚାରିଜଣଙ୍କ ଶବ ବ୍ୟବଛେଦ ରିପୋଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

 

ସମ୍ବନ୍ଧିତ ଖବର