ଜଗତସିଂହପୁର: ବିରିଡ଼ି ଥାନା ଅଧୀନ ବେତମାଳିଆ ଗାଁର ସେକ୍ ସବିର ଉଦ୍ଦିନଙ୍କ ବଡ଼ ପୁଅ ସେକ୍ ସହିଲ ଉଦ୍ଦିନଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଏବେ ସନ୍ଦେହରେ ପଡ଼ିଛନ୍ତି। ଗତ ମାସ ୭ ତାରିଖରୁ ପୁଅର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ସେ ଚାକିରି କରୁଥିବା ଜାହାଜ କମ୍ପାନି ପକ୍ଷରୁ ସବିରଙ୍କୁ ଟେଲିଫୋନ୍ ଯୋଗେ ଅବଗତ କରାଯାଇଥିଲା। ମାତ୍ର ପୁଅର ମୃତଦେହ ମାସେ ହେଲା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ସହିଲଙ୍କ ମୃତ୍ୟୁକୁ ନେଇ ଏବେ ପରିବାରବର୍ଗ ନାନା ଆଶଙ୍କା କରୁଛନ୍ତି। ବିଦେଶରେ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ କରାଯାଇଥିବା ନେଇ ସେମାନେ ସନ୍ଦେହ କରୁଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏସ୍‌ପି ଏ ଦିଗରେ ସହଯୋଗ କରୁଥିବା ନେଇ ସବିର କହିଛନ୍ତି। ସବିରଙ୍କ ସୂଚନା ମୁତାବକ, ତାଙ୍କର ବଡ଼ ପୁଅ ସହିଲ ମୁମ୍ବାଇର ଏକ ଘରୋଇ ମେରାଇନ୍ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତମାସ ୭ ତାରିଖରେ ଦିଆ ନାମକ ଏକ ଜାହାଜରେ ଯାଇଥିବା ବେଳେ ଇରାନର ବନ୍ଦର ଆବାସଠାରେ ସହିଲଙ୍କରର ମୃତ୍ୟୁ ହୋଇଥିବା ନେଇ ସଂସ୍ଥା ପକ୍ଷରୁ ‌‌ଫୋନ୍ ଯୋଗେ କୁହାଯାଇଥିଲା। ପୁଅର ମୃତଦେହର ଫଟୋ କିମ୍ବା ଭିଡିଓ ଦେବା ପାଇଁ ବାପା ସବିର ଉକ୍ତ ସଂସ୍ଥାକୁ ନିବେଦନ କରିଥିଲେ। ମାତ୍ର ସେମିତି କିଛି ଦିଆଯାଇ ପାରିବ ନାହିଁ ବୋଲି ସଂସ୍ଥା ପକ୍ଷରୁ ରୋକଠୋକ୍ ଶୁଣାଇ ଦିଆଯାଇଥିଲା। ଏହାପରେ ପୁଅର ମୃତଦେହକୁ ତୁରନ୍ତ ପଠାଇବା ପାଇଁ ସବିର କହିଥିଲେ। ସଲିଲଙ୍କ ମୃତ୍ୟୁ ପାଇଁ ସିପିଂ ଏଜେନ୍ସି ଦାୟୀ ନୁହେଁ ବୋଲି ଏକ ସତ୍ୟନାମା ଜରିଆରେ ଦେବା ପାଇଁ କହିଥିଲେ।

Advertisment

ଏହି ସତ୍ୟନାମା ମିଳିବା ପରେ ହିଁ ଶବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ସମସ୍ତ ପ୍ରକିୟା ଶେଷ ହେବା‌ ସତ୍ତ୍ବେ ପୁଅର ମୃତଦେହ ନ ମିଳିବାରୁ ପରିବାର ଲୋକ ପୁଣି ଥରେ ଉକ୍ତ ସିପିଂ ସଂସ୍ଥାକୁ ଯୋଗାଯୋଗ କରିଥିଲେ। ବର୍ତ୍ତମାନ ଇରାନରେ ପର୍ବପର୍ବାଣୀ ଚାଲିଥିବାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଛୁଟି ଥିବା ଦର୍ଶାଇ ସବିରଙ୍କୁ ଉକ୍ତ ସଂସ୍ଥା ଏଡ଼ାଇ ଯାଇଥିଲେ। ଏହାପରେ ପରିବାରବର୍ଗଙ୍କ ସନ୍ଦେହ ବଢ଼ିଥିଲା। ସହିଲଙ୍କ ମା’ ବିଲକିସ୍ ବିବି କୁହନ୍ତି ଯେ, ସହିଲ ହେଉଛନ୍ତି ପରିବାରର ଏକମାତ୍ର ରୋଜଗାରିଆ ପୁଅ। ତାଙ୍କର ମୃତ୍ୟୁ ସଂକ୍ରାନ୍ତରେ କାହା ସହ ଆଲୋଚନା ନ କରିବା ପାଇଁ କମ୍ପାନି ପକ୍ଷରୁ କୁହାଯାଇଛି। ଏଣୁ ସହିଲଙ୍କୁ ଅପହରଣ କରାଯାଇ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ‌ନେଇଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଘଟଣାକୁ ମାସେ ବିତିଲାଣି। ସହିଲ ମୃତ ନା’ ଜୀବିତ, ଏହାକୁ ନେଇ ଦ୍ବନ୍ଦ୍ବରେ ପରିବାର ଲୋକ ଅଛନ୍ତି। ଆଉ କିଛିଦିନ ପରେ ସହିଲ ଜାହାଜର କ୍ୟାପଟେନ୍ ଭାବେ ପଦୋନ୍ନତି ପାଇଥାନ୍ତେ। ମାତ୍ର ଯଦି ସଂସ୍ଥାର କଥା ସତ ହୋଇଥାଏ, ତେବେ ଜାହାଜ ମଧ୍ୟରେ ଡ୍ୟୁଟି କରିଥିବା ବେଳେ କିଛି ଗ୍ୟାସ୍ ଜନିତ ଦୁର୍ଘଟଣା ଘଟି ସହିଲଙ୍କ ସମେତ ବିଶାଖାପାଟଣାର ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।