ଅଲୋଡ଼ା ହୋଇଗଲା ଶବ: ଦିନେ ଲୋକଙ୍କ ଦରକାରୀ ଥିଲେ, ଶେଷ ସମୟରେ କେହି ସାଥ୍ ଦେଲେନି

ସ୍ତ୍ରୀ କୋଭିଡ୍ ହସ୍ପିଟାଲରେ, ବାହାରେ ପ୍ରାଣ ହରେଇଲେ ସ୍ବାମୀ

ବାରିପଦା: ଦିନେ ସମସ୍ତଙ୍କର ଦରକାରୀ ଥିଲେ। ପୋଷ୍ଟାଲ୍ କର୍ମଚାରୀ ହୋଇଥିବାରୁ ସମସ୍ତେ ତାଙ୍କ ନିକଟରୁ ଉପକାର ପାଇଛନ୍ତି। କିନ୍ତୁ ବିଧିର ବିଧାନ କିନ୍ତୁ ବିଚିତ୍ର ଥିଲା। ସମସ୍ତଙ୍କୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ କିନ୍ତୁ ଶେଷ ସମୟରେ ମିଳିଲାନି ସର୍ବନିମ୍ନ ସହଯୋଗ। ଏପରିକି ମଶାଣୀକୁ ଯିବାପାଇଁ ମଧ୍ୟ ଚାରିକାନ୍ଧ ମିଳିଲାନି। ଫଳରେ ମୋଟରସାଇକେଲ୍ରେ ମଶାଣୀକୁ ଗଲା ଶବ। ଆଜିର ସଭ୍ୟ ଏବଂ ଶିକ୍ଷିତ ସମାଜରେ ମଣିଷ ନିଖୋଜ ହୋଇଯିବାରୁ ମେସିନ୍ ହିଁ ସାହାଯ୍ୟ କଲା। ମୃତକଙ୍କ ପୁଅ ଏବଂ ଜ୍ବାଇଁ ଦୁଇଜଣ ହିଁ ଜେସିବି ମେସିନ୍ ସାହାଯ୍ୟରେ ଶବକୁ ପୋତିଥିଲେ। ମାନବିକତାର ଖୋଲା ଉଂଲଘନ କରୁଥିବା ଏପରି ହୃଦୟବିଦାରକ ଘଟଣା ଘଟିଛି ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁରେ।

ଉକ୍ତ ଗାଁର ରାଜେନ୍ଦ୍ର ଜେନା(୫୬) ସ୍ଥାନୀୟ ଅଞ୍ଚଳରେ ଜଣେ ପୋଷ୍ଟମାଷ୍ଟର ରୂପ‌େ ଜଣାଶୁଣା। ଚଳିତ ମାସ ୪ ତାରିଖରେ ଛାତି ଯନ୍ତ୍ରଣା ହେବାରୁ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲକୁ ହାର୍ଟ ଅପରେସନ୍ ପାଇଁ ଯାଇଥିଲେ। ନିୟମ ମୁତାବକ ପ୍ରଥମେ କୋଭିଡ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବାରୁ ଶ୍ରୀ ଜେନାଙ୍କୁ ସେଠାରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସହିତ ଭୁବନେଶ୍ବର ଯାଇଥିବା ପୁଅ ଏବଂ ପୁତୁରାଙ୍କୁ ରାସଗୋବିନ୍ଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ଥିବା ସଂଗରୋଧକେନ୍ଦ୍ରକୁ ପଠାଯାଇଥିଲା। ସ୍ବାବ୍ ସଂଗ୍ରହ ପରେ ପୁତୁରାଙ୍କର ପଜିଟିଭ୍ ଆସିବା ସହିତ ପୁଅର ନମୁନା କିନ୍ତୁ ନେଗେଟିଭ୍ ଆସିଥିଲା।

ତେବେ ଶ୍ରୀ ଜେନାଙ୍କ ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଶ୍ରୀ ଜେନାଙ୍କ ପତ୍ନୀ, ଝିଅ ଏବଂ ନାତୁଣୀଙ୍କର ନମୁନା ପଜିଟିଭ୍ ଆସିଥିଲା। ଜ୍ବାଇଁ’ଙ୍କର ନେଗେଟିଭ୍ ଆସିଥିଲା । ତେଣୁ ବର୍ତ୍ତମାନ ସମୟରେ ପୁତୁରା, ପତ୍ନୀ, ଝିଅ ଏବଂ ନାତୁଣୀ ବାଙ୍କିଶୋଳସ୍ଥିତି କୋଭିଡ୍ ହସ୍ପିଟାଲରେ ଅଛନ୍ତି। ୧୭ତାରିଖରେ ଶ୍ରୀ ଜେନା କରୋନାରୁ ସୁସ୍ଥ ହେବା ପରେ ଡିସ୍ଚାର୍ଯ ହୋଇଥିଲେ। ମାତ୍ର ସରକାରୀ ଗାଡ଼ି ନଥିବାରୁ ସେ ହସ୍ପିଟାଲରୁ ଘରକୁ ଫେରିପାରିନଥିଲେ। ଅଗତ୍ୟା ହସ୍ପିଟାଲରେ ହିଁ ରହିବାକୁ ବାଧ୍ୟ ହୋଇଥିଲେ। ପରେ ଗାଡି ଅଭାବରୁ ଭୁବନେଶ୍ବରରୁ ଘରକୁ ଆସିପାରୁନଥିବା ଜାଣିବା ପରେ ଗାଁର କିଛି ଯୁବକ ରାସଗୋବିନ୍ଦପୁର ବିଡିଓଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ଏହାପରେ ବିଡିଓ’ଙ୍କ ଉଦ୍ୟମରେ ଗତକାଲି ଏକ ଘରୋଇ ଗାଡ଼ି ରାସଗୋବିନ୍ଦପୁରରୁ ଶ୍ରୀ ଜେନାଙ୍କୁ ଆଣିବାକୁ ଭୁବନେଶ୍ବର ଯାଇଥିଲା।

ତେବେ ହସ୍ପିଟାଲରୁ ଫେରିବା ବାଟରେ ବସ୍ତା ନିକଟରେ ଗାଡ଼ିରେ ହିଁ ଶ୍ରୀ ଜେନା ପାଣି ପିଇବାକୁ ମାଗିବା ପରେ ଟଳିପଡ଼ିଥିଲେ। ତୁରନ୍ତୁ ତାଙ୍କୁ ନିକଟସ୍ଥ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ କିନ୍ତୁ ଆରମ୍ଭ ହୋଇଥିଲା ଦୁଃଖ। ହାର୍ଟଆଟାକ୍ରେ ମରିଥିବା ଡାକ୍ତର କହିବା ସତ୍ତ୍ବେ ଶବ ସତ୍କାରରେ କେହି ସହଯୋଗ କରିନଥିଲେ। ଫଳରେ ବାଧ୍ୟହୋଇ ପୁଅ ମୃତ ପିତାଙ୍କର ଶବକୁ ନିଜ ଭେଣେଇଙ୍କ ସହାୟତାରେ ମୋଟରସାଇକେଲ୍ରେ ମଶାଣୀକୁ ନେଇଥିଲେ। କୌଣସି ସହଯୋଗ ନମିଳିବାରୁ ପୁଅ ବାପାଙ୍କର ଶବକୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତିଦେଇଥିଲେ। ଏପିର ହୃଦୟ ବିଦାରକ ଘଟଣା ମାନବିକତାର ହନନ କରିଥିବା ପ୍ରମାଣିତ ହୋଇଛି।

ସେହିପରି ପୋଡ଼ାନଯାଇ ଜେସିବି ସାହାଯ୍ୟରେ ପୋତିଦିଆଯିବା ଅନ୍ତିମ କ୍ରିୟାର ରୀତିନୀତିକୁ ସମ୍ପୂର୍ଣ୍ଣ କରିପାରିନାହିଁ। ସେହିପରି ଜେସିବି କେବଳ ଗାତ ଖୋଳିଥିଲା। କରୋନା ଭୟରେ ଶବ ଗାତରେ ପଡ଼ିବା ପରେ ତା ଉପରେ ମାଟି ପକେଇନଥିଲା। ମୃତକଙ୍କ ପୁଅ ଏବଂ ଜ୍ବାଇଁ ବହୁ କଷ୍ଟରେ ମାଟି ପକେଇ ଶବକୁ ଯତ୍ପରନାସ୍ତି ଅନ୍ତିମ ସମ୍ମାନ ଦେଇଥିଲେ। ଆହୁରି ଦୁଃଖର କଥା ହେଲା ବର୍ତ୍ତମାନ ପରିସ୍ଥିତିରେ ମୃତ ଶ୍ରୀ ଜେନାଙ୍କ ପତ୍ନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସ୍ତ୍ରୀଙ୍କ ଅଗୋଚରରେ ସ୍ବାମୀ ମୃତ୍ୟୁବରଣ କରିବା ଏବଂ ସହାୟତା ଅଭାବରୁ ସତ୍କାର ହୋଇନପାରିବା ସମସ୍ତଙ୍କୁ ବ୍ୟଥିତ କରିଛି। ସେହିପରି ମୃତକ ଶ୍ରୀ ଜେନା ମଧ୍ୟ ନିଜ ସ୍ତ୍ରୀଙ୍କୁ କରୋନା ହୋଇଥିବା ଜାଣିନଥିଲେ।

ଉଲ୍ଲେଖଯୋଗ୍ୟଯେ ଉକ୍ତ ଅଞ୍ଚଳରେ ରାଜେନ୍ଦ୍ର ଜଣେ ଲୋକପ୍ରିୟ ପୋଷ୍ଟାଲ୍ କର୍ମଚାରୀଭାବେ ଖ୍ୟାତି ଅର୍ଜନ କରିଥିଲେ। ମାତ୍ର କରୋନା କାରଣରୁ ଅନ୍ତିମ ସମୟରେ ମଧ୍ୟ ତାଙ୍କୁ କେହି ସାଥ୍ ନଦେବା ନିର୍ଦ୍ଦୟ ମାନବିକତାର ଏକ ନଗ୍ନ ଉଦାହରଣ ସୃଷ୍ଟି କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ଶ୍ରୀ ଜେନାଙ୍କୁ ପୋଷ୍ଟମର୍ଟମ କରାଯିବା ଆବଶ୍ୟକ ଥିଲାବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଯାହାହେଉନା କାହିଁକି ଦିନେ ସମସ୍ତଙ୍କର ଦରକାରରେ ଆସୁଥିବା ବ୍ୟକ୍ତି ଅନ୍ତିମ ଯାତ୍ରାରେ ଚାରିକାନ୍ଧ ନପାଇବା ବାସ୍ତବିକ ହୃଦୟବିଦାରକ।

ସମ୍ବନ୍ଧିତ ଖବର