ଚିକିଟି: ବ୍ରହ୍ମପୁର ଉପକଣ୍ଠ ସୁନାପୁର ବେଳାଭୂମିରୁ ବାହୁଦା ନଦୀ ସଙ୍ଗମସ୍ଥଳ ଏବଂ ନଦୀ ମୁହାଣରୁ ଉପରମୁଣ୍ଡକୁ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଟନ୍ ଟନ୍ ମଲାମାଛଙ୍କୁ ଦେଖିବାକୁ ମିଳିଛି। କିଛି ମାଛର ଶବ ନଦୀରେ ଭାସୁଥିବା ବେଳ‌େ ଆଉ କିଛି ଶବ କୂଳରେ ପଡ଼ିଥିଲା। ଏତ‌େ ପରିମାଣର ମଲାମାଛ ଦେଖି ପର୍ଯ୍ୟଟକ ତାଜୁବ୍ ପାଲଟିଯାଇଥିଲେ। ତେବେ ଶ୍ରାବଣମାସରେ ବେପାର ହେଉ ନଥିବାରୁ ମତ୍ସ୍ୟଜୀବୀମାନେ ଡଙ୍ଗାରେ ପଡ଼ିଥିବା କାବଲା ପ୍ରଜାତିର ଏସମସ୍ତ ମାଛକୁ ଫୋପାଡ଼ିଦେଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ସେହିପରି ବେଆଇନ ଚିଙ୍ଗୁଡ଼ି ଘେରି ଗୁଡ଼ିକରେ ରାସାୟନିକ ସାମଗ୍ରୀର ‌ପ୍ରୟୋଗ ହେଉଥିବାରୁ ବିଷାକ୍ତ ବର୍ଜ୍ୟପାଣି ନଦୀର ମିଶିବା ଫଳରେ ମାଛଗୁଡ଼ିକର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା।

Advertisment

ପରେ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଇନଚାର୍ଜ ଅନୀଲ ମହାପାତ୍ରଙ୍କ ନେତୃତ୍ବ‌ରେ ଏକ ଟିମ୍ ବାହୁଦା ନଦୀ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ଏହାସହ ପାଣିର ନମୁନା ସଂଗ୍ରହ କରାଯାଇଥିଲା। ତେବେ ମତ୍ସ୍ୟଜୀବୀମାନେ ଏସମସ୍ତ ମାଛକୁ ଫୋପାଡ଼ିଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ବିଷକ୍ରିୟା କାରଣରୁ ମାଛଙ୍କ ମୃତ୍ୟୁ ହୋଇ ନଥିବା ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଖବର ଲେଖାଯିବା ସୁଦ୍ଧା, ଏବ‌େବି ନଦୀ ମୁହାଣରେ କୁଢ଼କୁଢ଼ ମଲାମାଛ ପଡ଼ିଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରବଳ ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।