କାଳିଆପାଣି,: ମାସକ ମଧ୍ୟରେ ଖଣି ଅଞ୍ଚଳରେ ତୃତୀୟ ଓ କଅଁସ ପଞ୍ଚାୟତରେ ଦ୍ବିତୀୟ ଯକ୍ଷ୍ମାରୋଗୀଙ୍କ ମୃତ୍ୟୁ ହୋଇଛି। ଏଥର ଯକ୍ଷ୍ମାର ଶିକାର ହୋଇଛନ୍ତି କଅଁସ ପଞ୍ଚାୟତ ତଳଙ୍ଗି ପେଣ୍ଠସାହିର ଲାଣ୍ଡୁ ମୁଣ୍ଡା (୧୭)। ଦିନ ମଜୁରିଆ ବିଜୟ ମୁଣ୍ଡାଙ୍କ ସାନପୁଅ ଲାଣ୍ଡୁ ଗାଁ ପାଖ ସାରୁଆବିଲ ଏନଜିବିଏମ୍‌ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ। ସେ ଯକ୍ଷ୍ମାରୋଗୀ ଭାବେ ଚିହ୍ନଟ ହେବା ପରେ ସ୍ଥାନୀୟ ଟାଟାଷ୍ଟିଲ ଫାଉଣ୍ଡେସନ ସୁକିନ୍ଦା ଶାଖାରୁ ଔଷଧ ଖାଉଥିଲେ। ଏଇମାସ ପ୍ରଥମ ସପ୍ତାହ ଲାଣ୍ଡୁଙ୍କୁ ପ୍ରବଳ ଜ୍ବର ହୋଇଥିଲା। ଜର ନକମିବାରୁ ୬ ତାରିଖରେ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ବତନ୍ତ୍ର ଯକ୍ଷ୍ମାୱାର୍ଡ ସ୍ଥାନାନ୍ତର କରାଯାଇଥିଲା। ୯ ଦିନ ଧରି ଚିକିତ୍ସା ପରେ ୧୫ ତାରିଖ ତାଙ୍କୁ ମୁକ୍ତ କରାଯାଇଥିଲା। ପରିବାର ଲୋକ ତାଙ୍କୁ ନିଜ ଘରକୁ ଆଣୁଥିଲେ। ଅଧାବାଟରେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରିବାର ଲୋକ କୌଣସି ଉପାୟ ନପାଇ ଶବ ଗାଁକୁ ଆଣି ସଂସ୍କାର କରିଥିଲେ। ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ କିଛି ଜାଣିନଥିବା କହନ୍ତି ସୁକିନ୍ଦାର ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ବିଜୟ କୁମାର ଦାସ।

Advertisment

ସେହିପରି ଗତମାସ ୨୪ ଓ ୨୦ ତାରିଖରେ ୨ ଜଣ ଯୁବକ ରାଁସୋଳ ପଞ୍ଚାୟତ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ଜଗା ଗାଗରାଇ(୩୫) ଓ କଅଁସ ପଞ୍ଚାୟତ କୋଇପଶି ବସ୍ତିର ଜଗା ଥଟାରି (୪୦)ଯକ୍ଷ୍ମାର ଶିକାର ହୋଇଥିଲେ। ଉଭୟ ନିଜ କୁଡ଼ିଆ ଓ ଭଙ୍ଗା ଦଦରା ଘରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ୨୫ ତାରିଖରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଦେବରାଜ ହାଁସଦା ସଦଳବଳ ବସ୍ତିକୁ ଆସି ଘଣ୍ଟାଘଣ୍ଟା ଧରି ତନାଘନା ଓ ତଦନ୍ତ କରିଥିଲେ। ମାସେ ପୂରିନି ଯକ୍ଷ୍ମାରେ ୩ ମୁଣ୍ଡ ଗଡ଼ିବା ସହ ବର୍ଷକ ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହେଲାଣି। ଗତ ଫେବ୍ରୁଆରି ୬ ତାରିଖରେ ଯକ୍ଷ୍ମା ରୋଗାକ୍ରାନ୍ତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପୋଡ଼ାହରା ଗାଁର ଅସହାୟ ବିଧବା ବୃଦ୍ଧା ଡାଳିମ୍ବ ପିଙ୍ଗୁଆ(୬୦)ଙ୍କର ମୃତ୍ୟୁ ହୋଇଥିଲା।

ଡିସେମ୍ବର ୩୧ ରେ ରାଁସୋଳ ପଞ୍ଚାୟତ ମାଙ୍କେଡ଼ିଆ ବସ୍ତିର ଚୁକୁ ମାଙ୍କେଡ଼ିଆଙ୍କ ପତ୍ନୀ ଯକ୍ଷ୍ମା ରୋଗଗ୍ରସ୍ତ ଲାଲମୋନି(୪୦)ଙ୍କ ମୃତ୍ୟୁ ହୋଇଥିଲା। ନଭେମ୍ବର ୨୫ ତାରିଖରେ ଅନ୍ୟତମ ଯକ୍ଷ୍ମାରୋଗୀ ‌ରାଁସୋଳ ପଞ୍ଚ‌ାୟତ କଲରଙ୍ଗି ଗଉଡ଼ସାହିର ଯୁବକ ବୀର ମୁଣ୍ଡା(୪୮) ଓ ଜୁନ ୧୮ ରେ କାଳିଆପାଣି ବିର୍ସାନଗର ବସ୍ତିର ବାୟା ପୂର୍ତ୍ତିଙ୍କ ପତ୍ନୀ କୁନି (୫୯) ଓ ଗତବର୍ଷ ଏପ୍ରିଲ ୪ ତାରିଖ ରାଁସୋଳ ପଞ୍ଚାୟତ ମହ୍ଲାରସାହି ବସ୍ତିର‌ ରାଜୁ ମହାକୁଡ଼ (୫୦)ଙ୍କ ଯକ୍ଷ୍ମାରୋଗରେ ମୃତ୍ୟୁ ହୋଇଥିଲା। ୨ ରୁ ୩ ବର୍ଷ ମଧ୍ୟରେ ଆଉ ୬ ଜଣ ବିର୍ସାନଗର ବସ୍ତିର ଭେଣ୍ଡିଆ ଯୁବକ ଛୋଟରାୟ ମାଝି (କାଣ୍ଡେ) ଓ ସୁନାରାମ ମୁର୍ମୁ ଏବଂ ମହ୍ଲାରସାହି ବସ୍ତିର ଆଉ ୩ ଜଣ ଯକ୍ଷ୍ମା ଆକ୍ରାନ୍ତ ଗୁରୁବାରୀ ଜାମୁଦା(୪୦), ପୂର୍ବତନ ୱାର୍ଡମେମ୍ବର ସାଗର ପୂର୍ତ୍ତି(୪୭), ରଞ୍ଜୁ ନାଏକ(୪୫) ଓ ସେହି ପେଣ୍ଠସାହି ବସ୍ତିର ବିକ୍ରମ କାଇତ୍ବ‌ାର(୨୮)ଙ୍କ ଅକାଳ ମୃତ୍ୟୁ ହୋଇଥିଲା। ସଚେତନତା ଓ ଚିକିତ୍ସା ଅଭାବରୁ ଉପରୋକ୍ତ ସବୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଯକ୍ଷ୍ମାରେ ସମସ୍ତ ମୃତକ ଆଦିବାସୀ ବର୍ଗର। ଖଣିଅଞ୍ଚଳରେ ଯକ୍ଷ୍ମା ନିୟନ୍ତ୍ରଣ ଯୋଜନା ଦିଗହରା ହୋଇହୋଇଥିବା ସ୍ପଷ୍ଟ ହୋଇଛି।