ହଜିଗଲା ମାନବିକତା, ରାସ୍ତା କଡରେ ଫିଙ୍ଗିଦେଲେ ଶବ

ମୃତଦେହ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ

ଜୟପୁର : ରାସ୍ତା କଡରେ ମୃତ ଦେହ ପଡିଛି। ତାକୁ ଧଳା ଧୋତିରେ ଘୋଡାଇ ରଖିଥିବା ବ‌େଳେ ଶରୀର ଦେଖାଯାଉନାହିଁ। ଉପରେ ଶୁଖିଲା ପତ୍ର ପଡିଛି। ସ୍ଥାନୀୟ ଲୋକେ ‌କୋଭିଡ୍ ସଂକ୍ରମିତ ଭାବି ପାଖକୁ କେହି ଯାଉନାହନ୍ତି। କୋରାପୁଟ ଜିଲ୍ଲା ଜୟପୁର ଗାନ୍ଧୀଛକ ସ୍ଥିତ କେନାଲର କଡରେ ଅଜଣା ବ୍ୟକ୍ତିର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି। ଘଟଣା ଘଟିବାର ବହୁ ସମୟରେ ପୁଲିସ ଓ ପୌରପାଳିକା କର୍ମଚାରୀ ପହଞ୍ଚିଥ‌ିଲେ। ସେଠାରୁ ମୃତ ଦେହକୁ ନେଇ ଅନ୍ୟ ଏକ ସ୍ଥାନରେ ପୋତି ଦେଇଥିବା ଜଣାପଡିଛି।

           ସ୍ଥାନୀୟ ଡଙ୍ଗାଗୁଡାର ୨ ଜଣ ଯୁବକଙ୍କ କହିବାନୁଯାୟୀ, ଆଜି ଅପରାହ୍ନ ୩ଟା ବଳେ ୨ ଜଣ ସାଙ୍ଗ ‌ଶୌଚ ପାଇଁ କେନାଲକୁ ଯାଇଥିଲେ। ଗୋଟିଏ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା, ସେଥିରୁ ୨ ଜଣ ବ୍ୟକ୍ତି ଓହ୍ଲାଇ ଗାଡିର ପଛପଟୁ ଶବକୁ ବାହାର କରଥିଲେ। ‌ରାସ୍ତା କଡରେ ଥିବା ଲଟାବୁଦା ଭିତରକୁ ମୃତ‌ ଦେହକୁ ‌ଫୋଫାଡି ଦେଇ ତୁରନ୍ତ ସେଠାରୁ ପଳାଇଥିଲେ। ୨ ଜଣ ଯୁବକ ଘଟଣାସ୍ଥଳକୁ ଆସି ଦେଖିବାବେଳକୁ ସେଠାରେ ଧଳା ଧୋତି ଗୁଡାଇ ହୋଇ ଗୋଟିଏ ଶବ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। କୋଭିଡ୍ ସଂକ୍ରମିତ ବ୍ୟକ୍ତି ଭାବେ ସେଠାକୁ କେହି ଯାଇପାରୁନଥିଲେ ସମସ୍ତଙ୍କ ମନରେ ଭୟ ରହିଥିଲା। ଏହାପରେ ଖବର ପାଇ ସେଠାରେ ଜୟପୁର ସଦର ପୁଲିସ ଓ ପୌରପାଳିକା ପରିମଳ ବିଭାଗର କର୍ମଚାରୀ ପହଞ୍ଚିଥିଲେ। ସନ୍ଧ୍ୟା ବେଳେ ପୌରପାଳିକା ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଢ଼େପାଗୁଡା ସ୍ଥିତ ଚମ୍ପାକୁପୁଲି ଶ୍ମଶାନ ନିକଟରେ ମୃତ ଦେହକୁ ପୋତି ଦିଆଯାଇଥିଲା।

          ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରି ନାହିଁ। ବାହ‌ାରେ ବୁଲୁଥିବା ବ‌େଳେ ଭିକ୍ଷା ବୃତ୍ତି କରି ଏହି ବ୍ୟକ୍ତି ଜଣକ ଚଳୁଥିଲେ। ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ତାଙ୍କୁ ଭେଷଜ ବିଭାଗ ୱାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସଦରଥାନାରେ ଖବର ଦେବା ପରେ ‌ଥାନା କତୃପକ୍ଷ ପୌରପାଳିକା କର୍ମଚାରୀଙ୍କୁ ଜଣାଇଥିଲେ। ପୌରପାଳିକାର ୨ ଜଣ କର୍ମଚାରୀ ଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମହାପରାୟଣ ଗାଡିରରେ ଶବକୁ ସତ୍କାର ପାଇଁ ପଠାଇଥିଲେ। ସେହି କର୍ମଚାରୀମାନ‌େ ଗାନ୍ଧୀ ଛକ କେନାଲ ନିକଟରେ ଅପରାହ୍ନ ସମୟରେ କେହି ନଥିବାର ଦେଖି ବୁଦା ଭିତରକୁ ଶବ ‌ଫୋଫାଡି ଦେଇ ପଳାଇଥିଲେ। ସ୍ଥାନୀୟ ଯୁବକମାନେ ଦେଖିଥିବା ଯୋଗୁଁ ଖବର ସାମ୍ନାକୁ ଆସିଥିବା ବ‌େଳେ ନଚେତ ସେହି ଶବ ସେଠାରେ ହିଁ ପଡି ରହିଥାନ୍ତା ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାକୁ ଏମିତି ସମ୍ମାନ ମିଳୁଥିବା ବେଳେ ଏଥିପ୍ରତି ଦାୟୀ କିଏ ବୋଲି ଲୋକ‌େ ପ୍ରଶ୍ନ ପଚାରିଛନ୍ତି। ମୃତ ବ୍ୟକ୍ତିଙ୍କ ଶବ ସତ୍କାରରେ ପ୍ରଶାସନ ଏଭଳି ବେପରୁଆ ଭାବେ ପଦର୍ଶନ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର