ହେମଗିରରେ ଚାଞ୍ଚଲ୍ୟ ! ଜାମଝରିଆ ନାଳ କଡ଼ରୁ ୨ଟି ମୃତଦେହ ଓ ଶିଶୁ ଖପୁରୀ ଉଦ୍ଧାର

ହେମଗିର (ସୁନ୍ଦରଗଡ଼): ହେମଗିର ଥାନା ଅନ୍ତର୍ଗତ କନିକା ଜୁଲୁମବାହାଲ ମୁଖ୍ୟ ରାସ୍ତା ବଡ଼ଘୁମୁଡା ରେଲୱେ ଫାଟକ ସଂଲଗ୍ନ ସିଙ୍ଗାରିବାହାଲ ସଂରକ୍ଷିତ ଜଙ୍ଗଲସ୍ଥିତ ଜାମଝରିଆ ନାଳ କଡ଼ରୁ ୨ଟି ଅଚିହ୍ନା ଯୁବକଙ୍କ ମୃତଶରୀର ସହ ଏକ ଶିଶୁର ଖପୁରି ମିଳିଛି। ଗୋଟିଏ ମୃତଦେହ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଅନ୍ୟଟି ପ୍ଲାଷ୍ଟିକ ମଶିଣାରେ ଗୁଡ଼ାଯାଇ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି।

ଏହାର ଅନତି ଦୂର ମୁଖ୍ୟରାସ୍ତାରୁ ପ୍ରାୟ ଶହେ ମିଟର ନାଳ କଡ଼ ଜଙ୍ଗଲ ମଧ୍ୟରେ ଏକ ଗାତରେ ଶିଶୁର ଖପୁରି ପଡିଥିବା ଦେଖିବାକୁ ମିଳିିଛି। ଝୁଲନ୍ତା ମୃତଦେହ ଗଳିତ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଗୋଡ଼ଟି ପାଣି ଭିତରେ ରହିଛି। ଏକ ଗାମୁଛାରେ ବେକକୁ ବନ୍ଧାଯାଇଥିବା ଦୃଶ୍ୟମାନ ହୋଇଛି। ଏହା ସହ ଯୁବକ ଜଣକ ହାଫ୍ ପ୍ୟାଣ୍ଟ୍ ପିନ୍ଧିଥିବା ବେଳେ ତାଙ୍କ ସାର୍ଟଟି ନାଳ କଡ ଗଛ ତଳେ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ମୃତଦେହଟି ଗଳିତ ଅବସ୍ଥାକୁ ଆସି ଦୁର୍ଗନ୍ଧ ହେଉଥିବାରୁ ପ୍ରାୟ ୫/୬ ଦିନ ହେବ ଯୁବକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଅଜଣା ଯୁବକକୁ ହତ୍ୟା କରି ଗାମୁଛାରେ ବାନ୍ଧି ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

ସେହି ପାଖରେ ବନବିଭାଗ ଦ୍ୱାରା ବୃକ୍ଷ ରୋପଣ ପାଇଁ ଖୋଳା ଯାଇଥିବା ଗାତରେ ମଣିଷ ଖପୁରିଟିଏ ପଡିଛି। ପାରିପାର୍ଶିକ ସ୍ଥିତିକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି। ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର