ରାଉରକେଲା: ଗତକାଲି ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ସେନ୍‌ସରୀ ପାର୍କ ପରିସରସ୍ଥ ପୁଷ୍ପରଣୀରୁ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତକ ହେଲେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାମାବାହାଲ ପୋଖରୀଟୋଲିର ସୁସ୍ମିତା ମିଞ୍ଜ (୩୫)। ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିଲେ। ସେ ଏଡିଏମ୍‌ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ବରେ ଥିଲେ। ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ସୁସ୍ମିତାଙ୍କ ପାରିବାରିକ ସମସ୍ୟା ଥିବାରୁ ସେ ମାନସିକ ଦୁଃଶ୍ଚିନ୍ତାରେ ରହିଥିଲେ।

Advertisment

ଗତ ଶୁକ୍ରବାରଠାରୁ ଘରକୁ ଫେରି ନଥିଲେ। ଘରକୁ ‌ନ ଫେରିବାରୁ ସୁସ୍ମିତାଙ୍କ ଭାଇ ଗତ ରବିବାର ସ୍ଥାନୀୟ ଥାନାରେ ତାଙ୍କ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପରଦିନ ଅର୍ଥାତ୍‌ ସୋମବାର ସୁସ୍ମିତାଙ୍କୁ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ପରିବାର ଲୋକ ପାଇଥିଲେ। ମଙ୍ଗଳବାର ଅପରାହ୍ନ ୩ଟା ୧୫ ମିନିଟ୍‌ରେ ସେନ୍‌ସରୀ ପାର୍କ ପୁଷ୍କରଣୀରେ ମହିଳାଙ୍କ ଶବ ଭାସୁଥିବା ଦେଖି ସୁରକ୍ଷାକର୍ମୀ ପ୍ଲାଣ୍ଟସାଇଟ୍‌ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୁଷ୍କରଣୀ ଭିତରକୁ ସୁସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ। ସୁସ୍ମିତା ଦିନରେ ପାର୍କ ଭିତରକୁ କେମିତି ଗଲେ ? ଏ ସଂକ୍ରାନ୍ତରେ ପାର୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଜାଣିଥିଲେ କି? ପାର୍କରେ ଥିବା ସିସି ଟିଭି ଯାଞ୍ଚ ଓ ସୁରକ୍ଷାକର୍ମୀଙ୍କୁ ପଚରାଉଚୁରା ପରେ ସୁସ୍ମିତାଙ୍କ ମୃତ୍ୟୁ କିପରି ହେଲା ଜଣାପଡ଼ିବ ବୋଲି କୁହାଯାଉଛି।