ଖୋର୍ଦ୍ଧା: ଖୋର୍ଦ୍ଧାର ଏକ ଲଜରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ହୋଇପାରିନଥିବାରୁ ଯୁବକଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତେବେ ଘଟଣାରେ ଯୁବକଙ୍କ ଜଣେ ବନ୍ଧୁଙ୍କୁ ପୁଲିସ ପଚରା ଉଚୁରା କରୁଥିବା ଜଣାଯାଇଛି ।
ସୂଚନାନୁସାରେ, ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରାର ତାପସ କୁମାର ପଣ୍ଡା (୨୩) ଗତକାଲି କୌଣସି ସ୍ଥାନରେ ସାକ୍ଷାତକାର ଦେବା ପାଇଁ ଭୁବନେଶ୍ୱର ଆସିଥିଲେ । ତେବେ ସେ ଭୁବନେଶ୍ୱର ନଯାଇ ଖୋର୍ଦ୍ଧାର ଏକ ଲଜରେ ରହିଥିଲେ । ସେଠାକୁ ଭୁବନେଶ୍ୱରର ନିଜର ଜଣେ ବନ୍ଧୁଙ୍କୁ ଡକାଇ ରାତିରେ ହୋଟେଲରୁ ଅଣାଇ ବିରିଆନି ଖାଇଥିଲେ । ସକାଳୁ ତାପସଙ୍କ ସଂଜ୍ଞାହୀନ ଶବ ଦେଖି ହୋଟେଲ କର୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ତାପସଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସାଳୟ ଆସିବା ପୂର୍ବରୁ ମୃତ୍ୟୁ ଘଟିଥିବା କହିଥିଲେ ।
ଏନେଇ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସଂଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଏ ଘଟଣାରେ ତାପସଙ୍କ ଉକ୍ତ ବନ୍ଧୁଙ୍କୁ ପଚରା ଉଚୁରା କରାଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ ହେବ । ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।