ପାହାଡ଼ ତଳେ ମହିଳାଙ୍କ ଗଳିତ ଶବ, ହତ୍ୟା ସନ୍ଦେହ

ପାଟପୁର :ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅନ୍ତର୍ଗତ ଏସ୍‌.ଗୋପାଳପୁର ଗାଁ ନିକଟ ରତନେଇ ପାହାଡ଼ ତଳୁ ‌ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମହିଳାଙ୍କୁ ହତ୍ୟା ପରେ ପାହାଡ଼ ତଳେ ଫୋପାଡ଼ି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ପାଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା(କେସ୍‌ ନଂ ୫/୨୧) ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମାମଲାର ମୋଡ଼ ବଦଳିବା ସମ୍ଭାବନା ରହିଛି।
ଏସ୍‌.ଗୋପାଳପୁର ଗାଁ ନିକଟରେ ରହିଛି ମା’ ରତନେଇ ପାହାଡ଼। ଆଜି କିଛି ଲୋକ ପାହାଡ଼ ଆଡ଼କୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବା ଯୋଗୁଁ ଖୋଜାଖୋଜି କରିଥିଲେ। ପାହାଡ଼ ପାଦଦେଶରେ ଏକ ଘଞ୍ଚ ଜଙ୍ଗଲିଆ ସ୍ଥାନରେ ଏକ ଶବ ପଡ଼ିଥିଲା। ମୁଣ୍ଡ ଗଣ୍ଡି ଅଲଗା ରହିଥିଲା। ଶବ ନିକଟରେ ଶାଢ଼ି, ପାଉଁଜି ଆଦି ପଡ଼ିଥିଲା। ଶବକୁ ସମ୍ପୂର୍ଣ୍ଣ କଳା ହୋଇ ଯାଇଥିଲା। ପ୍ରମାଣ ନଷ୍ଟ କରିବା ଲାଗି ଶବ ଉପରେ ଏସିଡ଼୍‌ ପକା ଯାଇଥିବା କିମ୍ବା ପୋଡ଼ି ଦିଆ ଯାଇଥିବା ଭଳି ଜଣା ପଡ଼ୁଥିଲା। ଗ୍ରାମବାସୀ ଏହା ଦେଖି ସଙ୍ଗେ ସଙ୍ଗେ ପାଟପୁର ଥାନା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ସେଠାରୁ ଗଳିତ ଶବ ଉଦ୍ଧାର କରି ବଡ଼ ଡାକ୍ତରଖାନାକୁ ପଠାଇଛି। ପ୍ରାଥମିକ ତଦନ୍ତ ପରେ ପୁଲିସର କହିବା କଥା, ଶବଟି ବହୁଦିନ ହେଲା ପଡ଼ି ପଚିଶଢି ଯାଇଛି। ଶବକୁ ବିଲୁଆ ଓ ବନ୍ୟପ୍ରାଣୀ ଏଣେ ତେଣେ ଟାଣି ପକାଇଥିବା ଜଣାପଡ଼ୁଛି। ମୁଣ୍ଡ ଗଣ୍ଡି ଅଲଗା ହୋଇନାହିଁ କିମ୍ବା ଶବକୁ ପୋଡ଼ା ଯାଇନାହିଁ। ଏସିଡ଼୍‌ ପକା ଯାଇଥିବାର ମଧ୍ୟ ସେମିତି କିଛି ପ୍ରମାଣ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଅପମୃତ୍ୟୁ ମାମାଲା ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
ସମ୍ବନ୍ଧିତ ଖବର