ସୁନ୍ଦରଗଡ଼: ରାଜଗାଙ୍ଗପୁର ରେଳଧାରଣାରୁ ଗତ ୭ ତାରିଖରେ ଉଦ୍ଧାର ଜଣେ ଅପରିଚିତ ଯୁବକଙ୍କ ମୃତଦେହର ଦାହ ସଂସ୍କାର କରିଛନ୍ତି ସୁନ୍ଦରଗଡ଼ର ଟିମ୍ ଶ୍ମଶାନବନ୍ଧୁ। ରାଜଗାଙ୍ଗପୁର ରେଳବାଇ ପୁଲିସ ରେଳଧାରଣାରୁ ଏକ ୪୫ ବର୍ଷୀୟ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ଡାକ୍ତରଖାନାର ଶବାଗାରରେ ରଖି ପରିଚୟ ଖୋଜିଥିଲେ।
ନିୟମ ମୁତାବକ ୯୬ ଘଣ୍ଟା ପରେ କେହି ଦାବିଦାର ନଆସିବାରୁ ଶବ ବ୍ୟବଚ୍ଛେଦ କରି ଶବ ସତ୍କାର ପାଇଁ ସୁନ୍ଦରଗଡ଼ ସହରର ସମର୍ପିତ ସେବା ସଂସ୍ଥାନ, ଟିମ ଶ୍ମଶାନବନ୍ଧୁଙ୍କୁ ଅନୁରୋଧ କରିଥିଲେ। ଟିମ ସଦସ୍ୟମାନେ ରାଜଗାଙ୍ଗପୁର ଡାକ୍ତରଖାନାରୁ ମହାପ୍ରୟାଣ ଗାଡ଼ି ଯୋଗେ ଶବକୁ ଆଣି ତାର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। କୋଭିଡ ସଂକ୍ରମିତ ମୃତକଙ୍କ ଶବ ସତ୍କାର ସହ ବିଭିନ୍ନ ଅସହାୟ, ଅପରିଚିତ, ବୃଦ୍ଧାଶ୍ରମରେ ରହି ଆସୁଥିବା ଅନ୍ତେବାସୀଙ୍କ ମୃତଦେହ ଏବଂ ବିଭିନ୍ନ ସମୟରେ ପୁଲିସ ଉଦ୍ଧାର କରୁଥିବା ଅପରିଚିତ ଶବଗୁଡ଼ିକର ଦାହ ସଂସ୍କାର କରି ଟିମ୍ ଶ୍ମଶାନବନ୍ଧୁ ମାନବିକତାର ନିଆରା ପରିଚୟ ପାଇଛନ୍ତି।