ରାଇରଙ୍ଗପୁର: ରାଇରଙ୍ଗପୁର ବ୍ଲକ ପଡ଼ିଆରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ମହୁଲଡିହାର ସ୍ବର୍ଗତ ସାଲଖୁ ହେମ୍ବ୍ରମଙ୍କ ପୁଅ ନରେନ୍ଦ୍ର ହେମ୍ବ୍ରମ (୪୫) ରାତ୍ରି ୮ଟା ସମୟରେ ନିଜ ଝିଅ ଚମ୍ପା ହାଁସଦାଙ୍କ ଜନ୍ମଦିବସ ପାଳନ କରିଥିଲେ। ପରେ ତାଙ୍କ ଦୁଇ ଜଣ ପଡୋଶୀ ଯୁବକମାନେ ନରେନ୍ଦ୍ରକୁ ରାତ୍ରି ପ୍ରାୟ ୧୦ ଟା ସମୟରେ ଘରୁ ଡାକିନେଇ ସ୍କୁଟିରେ ରାଇରଙ୍ଗପୁର ବ୍ଲକ ପଡିଆଠାରେ ଆରମ୍ଭ ହୋଇଥିବା ଯାତ୍ରା ଦେଖିବା ପାଇଁ ନେଇ ଯାଇଥିଲେ। ଘରକୁ ଆସିବା ପାଇଁ ବିଳମ୍ବ ହୋଇଥିବାରୁ ରାତ୍ରି ୨:୩୩ ସମୟରେ ସାନ ଝିଅ ଚମ୍ପା ତାଙ୍କ ବାପା ନରେନ୍ଦ୍ରଙ୍କୁ ଫୋନ କରିଥିଲେ। ହେଲେ ସେ ଠିକ ଭାବରେ କଥା ହୋଇପାରିନଥିଲେ ଓ ସେଠାରେ ପାଟି ତୁଣ୍ଡ ଶୁଭୁଥିଲା |

Advertisment

ତାଙ୍କ ବାପା କହୁଥିଲେ ମୋତେ ଛାଡ଼ି ଦିଅ, ସେମିତି କର ନାହିଁ ବୋଲି ଶୁଣି ଥିଲେ ବୋଲି ଚମ୍ପା କହିଛନ୍ତି। ଏହା ପରେ ପୁଣି ଫୋନ କଲାବେଳେ ଆଉ ଫୋନ ରିସିଭ କରିନଥିଲେ। ସକାଳ ପ୍ରାୟ ୫ ଟା ସମୟରେ ସ୍ଥାନୀୟ ଲୋକମାନେ ବ୍ଲକ ପଡିଆରେ ଚାଲିଥିବା ଅପେରା ଗେଟ ସମ୍ମୁଖରେ ନରେନ୍ଦ୍ରଙ୍କୁ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖି ପରିବାରକୁ ସୂଚନା ଦେଇଥିଲେ। ଏହା ପରେ ପରିବାର ଲୋକମାନେ ସେଠାକୁ ଯାଇ ପହଁଞ୍ଚି ନରେନ୍ଦ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟ ପକ୍ଷରେ ମୃତକଙ୍କ ପୁତ୍ର ସାଲଖୁ ହାଁସଦା ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଅନ୍ୟ କିଛି ତାହା ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ।