ବରୀ: ବରୀ ଥାନା ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ଦଣ୍ଡାମୁଣ୍ଡ ବରଗଛ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଥାନା ଅନ୍ତର୍ଗତ ସାରଦପୁର ଗ୍ରାମର ଦୋଳମଣି ମାଝିଙ୍କ ପୁଅ ଭରତ(୨୩)। ମୁଖ୍ୟରାସ୍ତା ଠାରୁ ୨ କି.ମି. ଦୂରରେ ଥିବା ଏକ ବରଗଛ ତଳେ ଭରତଙ୍କ ମୃତଦେହ ପଡ଼ିଥିଲା। ବିଲକୁ ଯାଇଥିବା ଜଣେ ଚାଷୀ ଭରତଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁରେ ସୂଚନା ଦେଇଥିଲେ। ଖବର ପ୍ରଚାରିତ ହେବାପରେ ବରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା।
ମୃତ ଭରତ ବରୀ ଥାନା ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତ ଦଳେଇ ସାହିର ତାରା ଦଳେଇଙ୍କ ପୁଅ ଶିଶିରଙ୍କ ସାଙ୍ଗ। ସେ କିଛିଦିନ ହେଲା ଶିଶିରଙ୍କ ଘରେ ରହି ଆସୁଥିଲେ। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସେ ପୁଅ ସହିତ ତାଙ୍କ ଘରେ ଥିଲେ ବୋଲି ଶିଶିରଙ୍କ ମା’ କହିଛନ୍ତି। ଭରତଙ୍କ ପରିବାରକୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା କହିଛନ୍ତି। ତେବେ ଭରତ କ’ଣ ପାଇଁ ଶିଶିରଙ୍କ ସହିତ ତାଙ୍କ ଘରେ ରହୁଥିଲେ ଓ ତାଙ୍କର ମୃତ୍ୟୁ କିପରି ହେଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି।
ମୃତଦେହର ବେକରେ ଏକ ପୁରୁଣା ବେଡସିଟ୍ କପଡ଼ାରେ ଫାଶ ପଡ଼ିଥିବା ବେଳେ କିଛି ଅଂଶ ଛିଣ୍ଡିଯାଇ ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଥାନା କେସ୍ ନମ୍ବର ୧୩/୨୧ରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତାଙ୍କ ପରିବାର ଲୋକ ପହଞ୍ଚି ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ହେଲେ ପୁଲିସ ଶିଶିର ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)