କେନାଲରୁ ଉଦ୍ଧାର ହେଲା ଦୁଇ ଶିଶୁଙ୍କ ମୃତଦେହ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶଙ୍କରପୁର ଗ୍ରାମରୁ ଅପହରଣ ଶିଶୁର ମୃତଦେହ ନିକଟସ୍ଥ କେନାଲରୁ ମିଳିଥିବାବେଳେ ପୁଣି ଏକ ଶିଶୁର ମୃତଦେହକୁ ଜଗତସିଂହପୁର ସଦର ଥାନା ପଣ୍ଡା ସାହି ଛକ ନିକଟ ଟେନ୍-ଇ କେନାଲ କଡ଼ରୁ ପୁଲିସ ଉଦ୍ଧାର କରିଛି । ଶିଶୁଟିକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଏହାକୁ ଦେଖି ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କେନାଲରେ ପାଣି କମ ଥିବାବେଳେ ଶିଶୁଟିର ମୃତ ଦେହ ସେଠାକୁ କିପରି ଆସିଲା ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମୃତ ଶିଶୁଟିର ହାତ ଓ ଗୋଡ଼ ନଥିବାରୁ କେହି ନିର୍ମମ ଭାବେ ଶିଶୁଟିକୁ ହତ୍ୟାକରି ସେଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ସେହିପରି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶିବପୁର ପଞ୍ଚାୟତର ଶଙ୍କରପୂର ଗାଁରେ ଦୁଇ ବର୍ଷର ଶିଶୁ ପୁତ୍ର ଖେଳୁଥିବା ସମୟରେ ନିଖୋଜ ହେବାର ୩ ଦିନ ପରେ ଘର ନିକଟସ୍ଥ ଏକ କେନାଲରୁ ମୃତ ଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଶିଶୁଟିକୁ କେହି ହତ୍ୟା କରି କେନାଲରେ ଫିଙ୍ଗି ଦେଇ ଥିବାର ସନ୍ଦେହ କରାଯାଉଛି । ଦୁଇ ବର୍ଷର ଶିଶୁ ବାପୁନ ନିଖୋଜର ଅପହରଣର ତିନି ଦିନ ପରେ ଘର ନିକଟସ୍ଥ କେନାଲରୁ ତାର ମୃତ ଦେହ ଉଦ୍ଧାର ହୋଇଛି । ଶିଶୁଟି କିପରି ସେଠାକୁ ଗଲା କି କେହି ତାକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଛି ତାହା ଜଣା ପଡ଼ିନାହିଁ ।

ସ୍ଥାନୀୟ ମଙ୍ଗଳପୂର ଗାଁର କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଂଜନ ଓରଫ ବାପୁନ, ମାଆ ଶୁନୁଲତା ଭୋଇଙ୍କ ସହ ମାମୁଁ ଘର ଶଙ୍କରପୂର ଗାଁକୁ କିଛି ଦିନ ହେଲା ଆସି ସେଠାରେ ରହୁଥିଲେ । ଗତ ସୋମବାର ଦିନ ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ଆଉ ପୁଅକୁ ପାଇନଥିଲେ । ତେବେ ବାପୁନକୁ କେହି ଅପହରଣ କରି ନେଇ ଥିବାର ପରିବାର ଲୋକେ ବିରିଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଥିଲା । ସନ୍ଧାନୀ କୁକୁର ଘର ନିକଟସ୍ଥ କେନାଲ ପାଖକୁ ଶୁଙ୍ଘି ଶୁଙ୍ଘି ଯିବା ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ତେବେ ପୁଲିସ ତଦନ୍ତ ଚଳାଇଥିବାବେଳେ ଆଜି ଶିଶୁଟିର ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର