ବୈପାରିଗୁଡା: ବନ୍ଦ ଘରୁ ଉଦ୍ଧାର ହୋଇଛି ଯୁବତୀଙ୍କ ଗଳିତ ମୃତଦେହ | ମୃତ ଯୁବତୀ ଜଣକଙ୍କ ନାମ ସନ୍ଧ୍ୟାରାଣୀ ନାୟକ ଏବଂ ସେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ବ ସହାୟିକା ରୂପେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଆଜି ବ୍ଲକ ସ୍ଥିତ ଷ୍ଟାଫ୍ କ୍ବାଟରରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ପହଞ୍ଚିବା ପରେ କବାଟ ଭାଙ୍ଗି ଭିତରକୁ ପଶିବାରୁ ଫ୍ୟାନରେ ସନ୍ଧ୍ୟାରାଣୀଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଶବର ପାରିପାର୍ଶ୍ୱିକ ଅବସ୍ଥା ଦେଖିବା ପରେ ସେ ସପ୍ତାହକ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି।

Advertisment

ଗତ ୨୦ ତାରିଖରେ ଦଶହରା ପାଇଁ ଛୁଟି ହେବାରୁ ପାଖ ପଡ଼ୋଶୀ ସମସ୍ତେ ଚାଲି ଯାଇଥିବାରୁ କେହି ମଧ୍ୟ ଏସଂପର୍କରେ ଜାଣି ପାରିନଥିଲେ। ଆଜି ପ୍ରବଳ ଦୁର୍ଗନ୍ଧ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ପୁଲିସ ଶବଟିକୁ ଜବତ କରିବା ସହ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପ୍ରକାଶ କରିଛି। ଖବର ପାଇ ମାଆ, ଭାଇ ଏବଂ ସଂପର୍କୀୟ ବୈପାରିଗୁଡା ପହଞ୍ଚିଛନ୍ତି। ସନ୍ଧ୍ୟାରାଣୀଙ୍କ ଘର ଜୟପୁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।