ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧବାର୍ଷିକୀ

ଖୋର୍ଦ୍ଧା: ଜୀବନର ଯେଉଁ ଦୃଷ୍ଟିକୋଣରୁ ବିଚାର କରିବେ ଜାନକୀ ବଲ୍ଲଭ ପଟ୍ଟନାୟକ ସେହି ଦିଗରୁ ଜଣେ ସଫଳ ମଣିଷ ବୋଲି ଆମେ ଅନୁଭବ କରିବା। ନିଜର ଜନ୍ମମାଟିକୁ କିଭଳି ଭଲପାଇବା, ସୁସ୍ଥ ରହିବା ଓ ଦୃଢ଼ ଆତ୍ମବିଶ୍ୱାସ ତାଙ୍କ ଠାରୁ ଶିଖିବାର ଆବଶ୍ୟକତା ରହିଛି ବୋଲି ଆଜି ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ସାମ୍ବାଦିକ, ସାହିତ୍ୟିକ ଓ ରାଜନୀତିରେ ଅଦ୍ଭୂତ ସଫଳତା ହାସଲ କରିଥିଲେ। ଏଣୁ ତାଙ୍କୁ ଏହି ତିନିଟିର ତ୍ରିବେଣୀ ସଂଗମ ବୋଲି କୁହାଯାଏ। ସାଧାରଣ ଶିକ୍ଷକ ପରିବାରରୁ ଆସି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଉଚ୍ଚଶିକ୍ଷା ସହ ସାମ୍ବାଦିକ ଜୀବନରୁ କେନ୍ଦ୍ରମନ୍ତ୍ରୀ, ତିନିଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଇପାରିଥିଲେ। ସେହିଭଳି ସେ ନିଜର ଜୀବନକାଳରେ କେବଳ ଗୋଟିଏ ଦୁର୍ଘଟଣା ବ୍ୟତୀତ ଅନ୍ୟ କୌଣସି ସମୟରେ ଶାରୀରିକ ଅସୁସ୍ଥତା କାରଣରୁ ସେ ଚିକିତ୍ସାଳୟରେ ଭର୍ତି ହୋଇନାହାଁନ୍ତି କିମ୍ବା ଚିକିତ୍ସାଳୟ ଯାଇନାହାଁନ୍ତି। ନିଜର ଜନ୍ମ ମାଟି, ଏହାର ସଂସ୍କୃତି, ଭାଷା ଓ ଜନତାଙ୍କ ଉନ୍ନତିକୁ ସେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। ଆଜିକାଲିର ଯୁବପିଢ଼ି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନରୁ ଶୃଙ୍ଖଳିତ ଜୀବନଯାବନରେ କିଭଳି ଦୀର୍ଘ ସୁସ୍ଥ ଜୀବନ ଜିଇଁପାରିବେ, ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ଅସମ୍ଭବକୁ ସମ୍ଭବ କରିପାରିବେ ଓ ନିଜର ମାଟିକୁ କିଭଳି ଭଲ ପାଇବେ ତାହା ଶିକ୍ଷାଲାଭ କରିବା କଥା ବୋଲି କହିଥିଲେ। ଖୋର୍ଦ୍ଧା ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜର ବକ୍ତବ୍ୟରେ ନିଜର ଛାତ୍ର ଓ ବୃତ୍ତିଗତ ଜୀବନରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସାକ୍ଷାତ, ଓଡ଼ିଶାରେ ହଜାର ଦିନରେ ହଜାର କୋଟିରେ ହଜାର ଶିଳ୍ପ, ଭୁବନେଶ୍ୱର ସହ ଦିଲ୍ଲୀ ମଧ୍ୟରେ ବିମାନସେବା, ସାମରିକ ବାହିନୀରେ ଓଡ଼ିଆ ଯୁବକଙ୍କ ନିଯୁକ୍ତି, ବିଭିନ୍ନ ଶିଳ୍ପପ୍ରତିଷ୍ଠାନର ସ୍ଥାପନା ଆଦି ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଓଡ଼ିଶାର ରାଜନୀତିର ଋଷ୍ୟଶୃଙ୍ଗ ଋଷି ଓ ପାଶ୍ଚାତ୍ୟ ଦାର୍ଶନିକ ଋଷୋଙ୍କ ସହ ତୁଳନା କରି ଓଡ଼ିଶାର ୧୯୩୬ରୁ ୧୯୮୦ ଦଶକ ମଧ୍ୟରେ ଚାଲିଥିବା ଅସ୍ଥିର ରାଜନୀତିକୁ କିଭଳି ସ୍ଥିରତା ପ୍ରଦାନ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ରାଜ୍ୟରେ ଏଭଳି ବିରାଟ ବ୍ୟକ୍ତିତ୍ୱଙ୍କୁ ଉଚ୍ଚିତ ସମ୍ମାନ ପ୍ରଦାନ କରାଯାଇନାହିଁ ବୋଲି କହି ଉକ୍ରଳବିଶ୍ୱବିଦ୍ୟାଳୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବାରୁ ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିଜ ଅଭିଭାଷଣରେ ଖୋର୍ଦ୍ଧା ପ୍ରତି ତାଙ୍କ ପିତାଙ୍କ ଅନାବିଳ ସ୍ନେହ, କ୍ରୀଡ଼ା, ଶିଳ୍ପ, ଶିକ୍ଷାର ବିକାଶ ସହ ଆସାମରେ ରାଜ୍ୟପାଳ ଥିବା ସମୟରେ ମସଜିଦରେ ମହିଳାଙ୍କ ପ୍ରବେଶ ନେଇ ସେ ନେଇଥିବା ସଫଳ ପଦକ୍ଷେପ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମଂଚାସୀନ ଥିଲେ। ସ୍ୱାଗତ ଭାଷଣ ଆଇନଜୀବୀ ଶିଶିର ପରିଡ଼ା ଦେଇଥିବା ବେଳେ ସମ୍ପାଦକୀୟ ଅଭିଭାଷଣ ସ୍ମୃତିଟ୍ରଷ୍ଟର ସମ୍ପାଦକ ସଂଜୟ କୁମାର ପଟ୍ଟନାୟକ, ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ ଦେଇଥିଲେ। ସ୍ମୃତି ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ସଭା ଆରମ୍ଭ ପୂର୍ବରୁ ସ୍ମୃତି ଉଦ୍ୟାନ ପରିସରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର